ନୂଆଦିଲ୍ଲୀ: ଦେଶରେ କେବଳ ଫ୍ଲାଟ କିମ୍ବା ଆପାର୍ଟମେଣ୍ଟର ମୂଲ୍ୟ ବୃଦ୍ଧି ହେଉନାହିଁ, ଅଫିସ ଗୁଡ଼ିକର ମୂଲ୍ୟ ବି ହୁ-ହୁ ହୋଇ ବଢିବାରେ ଲାଗିଛି । ଏବେ ନିକଟରେ ବେଙ୍ଗାଲୁରୁରେ ଅନ୍ତରାଷ୍ଟ୍ରୀୟ ଉଡ଼ାଜାହଜ ନିର୍ମାଣକାରୀ କମ୍ପାନୀ ଏୟାରବେସ୍ ନିଜ ଅଫିସ ଖୋଲିବାକୁ ଯାଉଛି । ଏଥିପାଇଁ ସେ ୧୦ ବର୍ଷ ଲିଜ୍ରେ ଅଫିସ ଘର ଭଡ଼ାରେ ନେବାକୁ ଯାଉଛି । କମ୍ପାନୀ ପାଇଁ ୬.୫୦ ଲକ୍ଷ ବର୍ଗଫୁଟର ସ୍ଥାନ ରହିଛି । ସବୁଠୁ ବଡ଼ କଥା ହେଉଛି ଏହାର ଭଡ଼ାର ମୂଲ୍ୟ ଜାଣିଲେ ଯେକେହି ବି ତାଜୁବ୍ ହୋଇଯିବେ ।
୧୦ ବର୍ଷ ପାଇଁ କମ୍ପାନୀ ୫୦୦ କୋଟିରୁ ଅଧିକ ଟଙ୍କା ଭଡ଼ା ଦେବ । ଅର୍ଥାତ୍ ମାସିକ ଭଡ଼ା ଆକାରରେ କମ୍ପାନୀ ୪କୋଟି ୧୭ ଲକ୍ଷ ଟଙ୍କା ଦେବ । ତେବେ ଭଡ଼ାର ମୂଲ୍ୟକୁ ଦେଖିଲେ ଏହା ବିଶ୍ୱର ଲୋକପ୍ରିୟ ଆଇଫୋନ୍ ନିର୍ମାଣକାରୀ କମ୍ପାନୀ ଆପଲକୁ ପଛରେ ପକାଇଛି । ଏହା ପୂର୍ବରୁ ଭାରତର ମୁମ୍ବାଇରେ ଆପଲ ନିଜ ପ୍ରଥମ ଷ୍ଟୋର ଖୋଲିଥିଲା, ମୁମ୍ବାଇର ଜିଓ ୱାର୍ଲ୍ଡ ଡ୍ରାଇଭ ମଲରେ ଏହି ଷ୍ଟୋର ଖୋଲିଥିଲା ଆପଲ । ତିନିମହଲାରେ ୨୦ ହଜାର ବର୍ଗଫୁଟରେ ନିମିର୍ତ ଏହି ଆପଲ କମ୍ପାନୀର ଏହି ଷ୍ଟୋର ପାଇଁ କମ୍ପାନୀ ମାସିକ ୪୨ ଲକ୍ଷ ଟଙ୍କା ଭଡ଼ା ଦେଉଥିଲା । ହେଲେ ଏବେ ଭଡ଼ା ଦୃଷ୍ଟିରୁ ଆପଲକୁ ପଛରେ ପକାଇଛି ଏୟାରବେସ୍ କମ୍ପାନୀ ।ଯଦି ବର୍ଗଫୁଟ ପ୍ରତି ଭଡାକୁ ଦେଖିବେ ତେବେ ଏୟାରବେସ୍ ଅପେକ୍ଷା ଅଧିକ ଭଡ଼ା ଦେଉଛି ଆପଲ ।