ଭାରତୀୟ ଶେୟାର ବଜାରରେ ବୁଧବାର ଦିନ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି, ଯେଉଁଥିରେ ମୁଖ୍ୟ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ୧ ପ୍ରତିଶତରୁ ଅଧିକ ଖସି ଯାଇଛନ୍ତି । ଇରାନ-ଆମେରିକା ଯୁଦ୍ଧକୁ ନେଇ ବଢ଼ୁଥିବା ଅନିଶ୍ଚିତତା, ବିଦେଶୀ ସଂସ୍ଥାଗତ ନିବେଶକ (FII) ଙ୍କ କ୍ରମାଗତ ଶେୟାର ବିକ୍ରି ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ନିବେଶକମାନଙ୍କ ମନୋଭାବ ଖରାପ ହୋଇଯାଇଛି ।
ସକାଳ ୯:୩୫ ସୁଦ୍ଧା ବିଏସ୍ଇ (BSE) ସେନସେକ୍ସ ୮୯୦ ପଏଣ୍ଟ ଖସି ୭୩,୭୫୯.୯୪ ରେ ପହଞ୍ଚିଥିଲା ଅନ୍ୟପକ୍ଷରେ ନିଫ୍ଟି୫୦ (Nifty50) ୨୩୯ ପଏଣ୍ଟ ହ୍ରାସ ପାଇ ୨୩,୨୪୪.୪୫ କୁ ଚାଲିଆସିଥିଲା । ଏହି ହ୍ରାସ ଯୋଗୁଁ ମାତ୍ର ୨୦ ମିନିଟ୍ ଭିତରେ ବିଏସ୍ଇ (BSE) ର ମୋଟ ବଜାର ପୁଞ୍ଜିକରଣ (Valuation) ୪,୬୨,୬୭,୭୮୭.୬୧ କୋଟି ଟଙ୍କାରୁ ହ୍ରାସ ପାଇ ୪,୫୮,୨୦,୬୨୨.୨୬ କୋଟି ଟଙ୍କାକୁ ଚାଲିଆସିଛି । ଅର୍ଥାତ୍ ନିବେଶକମାନେ ଗୋଟିଏ ଝଟ୍କାରେ ପ୍ରାୟ ୪,୪୭,୧୬୫.୩୫ କୋଟି ଟଙ୍କା ହରାଇଛନ୍ତି ।
ଆଇଟି (IT) ଶେୟାରରେ ବଡ଼ ବିକ୍ରି
ଗତ କିଛି ଦିନ ଧରି ଚମତ୍କାର ପ୍ରଦର୍ଶନ କରୁଥିବା ଆଇଟି ଶେୟାରଗୁଡ଼ିକରେ ଆଜି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଟାଟା କନସଲଟେନ୍ସି ସର୍ଭିସେସ୍ (TCS), ଏଚ୍ସିଏଲ୍ ଟେକ୍, ଟେକ୍ ମହିନ୍ଦ୍ରା ଏବଂ ଇନଫୋସିସ୍ ଭଳି ବଡ଼ କମ୍ପାନୀଗୁଡ଼ିକର ଶେୟାର ଦର ୨ ରୁ ୫ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଛି, ଯାହା ବଜାରକୁ ତଳକୁ ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ନିଫ୍ଟି ଆଇଟି ସୂଚକାଙ୍କ ସର୍ବାଧିକ ୪% ହ୍ରାସ ପାଇଛି । ଅନ୍ୟପଟେ ବଜାରର ଏହି ମାନ୍ଦା ଅବସ୍ଥା ମଧ୍ୟରେ ଅଦାନୀ ପୋର୍ଟସ (Adani Ports) ର ଶେୟାର ଦର ୧% ବୃଦ୍ଧି ପାଇ ସବୁଠାରୁ ଲାଭରେ ରହିଛି ।
ବ୍ରଡର୍ ମାର୍କେଟରେ ନିଫ୍ଟି ମିଡ୍କ୍ୟାପ୍ ୧୦୦ ଏବଂ ନିଫ୍ଟି ସ୍ମଲ୍କ୍ୟାପ୍ ୧୦୦ ସୂଚକାଙ୍କ ଯଥାକ୍ରମେ ୦.୭% ଏବଂ ୦.୫% ହ୍ରାସ ପାଇଛନ୍ତି । ଏନ୍ଏସ୍ଇ (NSE) ରେ ପ୍ରାୟ ୧,୬୩୪ଟି ଶେୟାରରେ ହ୍ରାସ ଘଟିଥିବା ବେଳେ ୯୧୩ଟି ଶେୟାର ବୃଦ୍ଧି ପାଇଛି ଏବଂ ୮୪ଟି ଶେୟାର ଅପରିବର୍ତ୍ତିତ ରହିଛି ।
ବଜାର କ୍ରାସ୍ ହେବାର ୬ଟି ମୁଖ୍ୟ କାରଣ
୧. ଇରାନ-ଆମେରିକା ମଧ୍ୟରେ ବଢ଼ୁଥିବା ତିକ୍ତତା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ଯୁଦ୍ଧର ସମାଧାନ ଏବଂ 'ହୋର୍ମୁଜ୍ ଷ୍ଟ୍ରେଟ୍' (Strait of Hormuz) କୁ ପୁଣି ଖୋଲିବା ନେଇ ଆଶା ପ୍ରକାଶ କରିଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିନାହିଁ । ଇସ୍ରାଏଲ୍ ପକ୍ଷରୁ ଲେବାନନ୍ ଉପରେ କ୍ରମାଗତ ଆକ୍ରମଣ ଜାରି ରହିଛି, ଯାହା ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ହୋଇଥିବା ଦୁର୍ବଳ ଯୁଦ୍ଧବିରତିକୁ ବିପଦରେ ପକାଇଛି । ଏହାସହ ଆମେରିକୀୟ ସେନା ପକ୍ଷରୁ କୁହାଯାଇଛି ଯେ ସେମାନେ ଉପସାଗରୀୟ ଅଞ୍ଚଳରେ ଇରାନର ଅନେକ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣକୁ ବିଫଳ କରିଛନ୍ତି ।
୨. ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି
ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ବିପଦରେ ପଡ଼ିବା ଯୋଗୁଁ ଅଶୋଧିତ ତୈଳ ଦର ପୁଣି ବଢ଼ିବାରେ ଲାଗିଛି । ବ୍ରେଣ୍ଟ କ୍ରୁଡ୍ (Brent Crude) ୧% ବୃଦ୍ଧି ପାଇ ବ୍ୟାରେଲ ପିଛା ପ୍ରାୟ $୯୭ ଏବଂ WTI କ୍ରୁଡ୍ ମଧ୍ୟ ୧% ବଢ଼ି ବ୍ୟାରେଲ ପିଛା $୯୫ ନିକଟରେ କାରବାର କରୁଛି । ବିଶ୍ୱର ପ୍ରାୟ ୨୦ ପ୍ରତିଶତରୁ ଅଧିକ ତେଲ ଓ ଗ୍ୟାସ୍ ପରିବହନ କରୁଥିବା ୩୩ କିଲୋମିଟରର ସଂକୀର୍ଣ୍ଣ ‘ହୋର୍ମୁଜ୍ ଷ୍ଟ୍ରେଟ୍’ ଦୀର୍ଘ ସମୟ ଧରି ବନ୍ଦ ରହିବା ଆଶଙ୍କା ନିବେଶକଙ୍କୁ ଚିନ୍ତାରେ ପକାଇଛି ।
୩. ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା
ବୁଧବାର ପ୍ରାରମ୍ଭିକ କାରବାରରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୧୪ ପଇସା ହ୍ରାସ ପାଇ ୯୫.୫୦ ରେ ପହଞ୍ଚିଛି । ଆନାଲିଷ୍ଟଙ୍କ ଅନୁଯାୟୀ, କ୍ରୁଡ୍ ଅଏଲ୍ ଦର ବଢ଼ିବା ଦ୍ୱାରା ଭାରତର ଆମଦାନୀ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ରହିଛି, ଯାହା ଟଙ୍କା ଉପରେ ଚାପ ପକାଉଛି । ଆଗକୁ ବଜାର ଆରବିଆଇ (RBI) ର ମୁଦ୍ରା ନୀତି ଉପରେ ନଜର ରଖିବ ।
୪. FIIଙ୍କ ଦ୍ୱାରା କ୍ରମାଗତ ଶେୟାର ବିକ୍ରି
ବିଦେଶୀ ନିବେଶକମାନେ (FII) ଭାରତୀୟ ବଜାରରୁ କ୍ରମାଗତ ଭାବେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି । ଗତ ମଙ୍ଗଳବାର ଦିନ ସେମାନେ ପ୍ରାୟ ୮,୩୬୩ କୋଟି ଟଙ୍କାର ଶେୟାର ବିକ୍ରି କରିଛନ୍ତି । ଏହା ପୂର୍ବରୁ ୨୯ ମେ'ରେ ୨୨,୧୦୨ କୋଟି ଏବଂ ୧ ଜୁନ୍ରେ ୩,୮୪୩ କୋଟି ଟଙ୍କାର ଶେୟାର ବିଦେଶୀ ନିବେଶକଙ୍କ ଦ୍ୱାରା ବିକ୍ରି କରାଯାଇଥିଲା ।
୫. ୟୁଏସ୍ (US) ବଣ୍ଡ ୟିଲ୍ଡରେ ବୃଦ୍ଧି
ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଆମେରିକାର ଟ୍ରେଜେରୀ ବଣ୍ଡ୍ ୟିଲ୍ଡ (Bond Yield) ରେ ସାମାନ୍ୟ ବୃଦ୍ଧି ଘଟିଛି । ୧୦ ବର୍ଷିଆ ବଣ୍ଡ୍ ୟିଲ୍ଡ ବୃଦ୍ଧି ପାଇ ୪.୪୫୭% ଏବଂ ୩୦ ବର୍ଷିଆ ବଣ୍ଡ୍ ୟିଲ୍ଡ ୪.୯୭% ହୋଇଛି । ବଣ୍ଡ୍ ୟିଲ୍ଡ ବଢ଼ିବା ଦ୍ୱାରା ନିବେଶକମାନେ ଶେୟାର ବଜାର ଅପେକ୍ଷା ବଣ୍ଡ୍ରେ ନିବେଶ କରିବାକୁ ଅଧିକ ସୁରକ୍ଷିତ ମଣନ୍ତି, ଯାହା ଇକ୍ୱିଟି ବଜାର ପାଇଁ ନକାରାତ୍ମକ ଅଟେ ।
୬. ଆଇଟି ଶେୟାରରେ ପ୍ରଫିଟ୍ ବୁକିଂ (Profit Booking)
ଗତ କିଛି ସେସନରେ ନିଫ୍ଟି ଆଇଟି ସୂଚକାଙ୍କ ପ୍ରାୟ ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ମଙ୍ଗଳବାର ଦିନ ମଧ୍ୟ ଏଥିରେ ୪ ପ୍ରତିଶତର ବଡ଼ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି କ୍ରମାଗତ ବୃଦ୍ଧି ପରେ ଆଜି ନିବେଶକମାନେ ଆଇଟି ଶେୟାରରେ ଲାଭ ଉଠାଇବା ପାଇଁ (Profit Booking) ବିକ୍ରି ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହାର ପ୍ରଭାବ ସମଗ୍ର ବଜାର ଉପରେ ପଡ଼ିଛି ।
କ’ଣ କହୁଛନ୍ତି ବଜାର ବିଶେଷଜ୍ଞ?
ବିଶେଷଜ୍ଞଙ୍କ ଅନୁସାରେ "ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ବ୍ରେଣ୍ଟ କ୍ରୁଡ୍ ଦର ପୁଣି ୯୭ ଡଲାର ଆଡ଼କୁ ଗତି କରୁଛି, ଯାହା ସୂଚାଉଛି ଯେ ଭାରତକୁ ଶକ୍ତି ସଂକଟରୁ ଏବେ ସହଜରେ ମୁକ୍ତି ମିଳିବ ନାହିଁ । ଆସନ୍ତା ୫ ଜୁନ୍ରେ ହେବାକୁ ଥିବା ଆରବିଆଇ (RBI) ର ପଲିସି ଘୋଷଣା ଉପରେ ବଜାରର ତୀକ୍ଷଣ ନଜର ରହିବ । ଆମେରିକା, ଜାପାନ କିମ୍ବା ତାଇୱାନ ତୁଳନାରେ ଆଗାମୀ ଆର୍ଥିକ ବର୍ଷ ୨୦୨୭ ରେ ଭାରତୀୟ କମ୍ପାନୀଗୁଡ଼ିକର ମୁନାଫା ବୃଦ୍ଧି ହାର (Earnings Growth) ମନ୍ଥର ଆର୍ଥିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ଯୋଗୁଁ ସାମାନ୍ୟ ଧୀମା ରହିପାରେ । ତେବେ ଆଶ୍ୱସ୍ତିର କଥା ଯେ ଏଭଳି ସ୍ଥିତିରେ ମଧ୍ୟ ଭାରତୀୟ ଖୁଚୁରା ନିବେଶକ (Retail Investors) ମାନେ ବଜାର ଉପରେ ଭରସା ରଖି କ୍ରମାଗତ ଭାବେ ଘରୋଇ ପୁଞ୍ଜି ପ୍ରବାହ ଜାରି ରଖିଛନ୍ତି, ଯାହା ବଜାରକୁ ଆଗକୁ ମଜବୁତ କରିବାର କ୍ଷମତା ରଖେ ।"