ମୁୁମ୍ବାଇ: ଭାରତୀୟ ଶିଳ୍ପଜଗତରେ ଗତକାଲି ଅପୂରଣୀୟ କ୍ଷତି ଘଟିଛି । ଆମ ଗହଣରେ ଆଉ ନାହାନ୍ତି ସଭିଙ୍କ ପ୍ରିୟ ରତନ ଟାଟା । ୮୬ ବର୍ଷ ବୟସରେ ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ରତନ ଟାଟା । ଦୁଇ ଦିନ ପୂର୍ବେ ଅର୍ଥାତ ସୋମବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଖବର ପ୍ରସାର ହୋଇଥିଲା । ରତନ ଟାଟା ନିଜର ସାମାଜିକ ଗଣମାଧ୍ୟମ ଜରିଆରେ ପୋଷ୍ଟ କରି ନିଜର ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରସାରିତ ଖବରକୁ ମିଥ୍ୟା ବୋଲି କହିଥିଲେ । ଆଉ ଏହା ହିଁ ଥିଲା ରତନ ଟାଟାଙ୍କ ଶେଷ ପୋଷ୍ଟ । ଶେଷ ପୋଷ୍ଟରେ କଣ ଲେଖିଥିଲେ ରତନ ଟାଟା ।
ତାଙ୍କ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେ ଲେଖିଥିଲେ, ‘ମୋ ବିଷୟରେ ଚିନ୍ତା କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ମୋ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଯେଉଁ ଖବର ଆସିଛି ତାହା ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ମୁଁ ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ଆସିଛି। ଚିନ୍ତାର କୌଣସି ବିଷୟ ନାହିଁ। ମୁଁ ସୁସ୍ଥ ଅଛି।‘ ବାସ୍ ଏହା ହିଁ ଥିଲା ରତନଙ୍କ ଶେଷ ପୋଷ୍ଟ ।
୧୯୩୭ ଡିସେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ରତନ ଟାଟାଙ୍କ ବିୟୋଗରେ ପୂରା ଶେଶ ସ୍ତବ୍ଧ । ଚାରି ଆଡେ ଶୋକର ଛାୟା ଖେଳି ଯାଇଛି । ରତନ ଟାଟାଙ୍କ ନିଧନ ପରେ ଏବେ ସଭିଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ, ଟାଟା ସାମ୍ରାଜ୍ୟର ମଙ୍ଗ କିଏ ଧରିବ? ଏହି ପ୍ରଶ୍ନ ଏଥିପାଇଁ ଗୁରୁତ୍ୱ ବହନ କରୁଛି କାରଣ ରନତ ଟାଟା ଆଜୀବନ ଅବିବାହିତ ଥିଲେ । ଆଉ ତାଙ୍କର ନିଜର ଦୁଇ ଭାଇ ମଧ୍ୟ ଅବିବାହିତ । ତେଣୁ ତାଙ୍କର ସାବତ ଭାଇ ନୋଏଲ ଟାଟାଙ୍କୁ ସବୁଠୁ ଯୋଗ୍ୟ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଛି ।