ଶିଳ୍ପ ଉଦ୍ୟୋଗ ସ୍ଥାପନ, ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଏବଂ ସବୁ କ୍ଷେତ୍ରରେ ଓଡ଼ିଆମାନେ ନିଜ ପାରଦର୍ଶିତା ଦେଖାଇଛନ୍ତି। ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଉଦ୍ୟୋଗୀଙ୍କ ଚମକ ରହିଛି କାରଣ ଦେଶରେ ୧୧୦ରୁ ଅଧିକ ୟୁନିକର୍ଣ୍ଣ ମଧ୍ୟରୁ ୪ଟି ସଂସ୍ଥାକୁ ଓଡ଼ିଆମାନେ ସ୍ଥାପନା କରିଛନ୍ତି। ସେମାନେ ହେଉଛନ୍ତି ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍, ଅଫ୍ବିଜନେସ୍ର ପ୍ରତିଷ୍ଠାତା ଆଶିଷ ମହାପାତ୍ର, ପର୍ପଲର ପ୍ରତିଷ୍ଠାତା ରାହୁଲ ଦାଶ ଓ ଜେଟ୍ୱେର୍କର ପ୍ରତିଷ୍ଠାତା ଅମୃତ ଆଚାର୍ଯ୍ୟ। ଏହି ଚାରି ଓଡ଼ିଆ ପ୍ରତିଷ୍ଠାତା ରାଜ୍ୟ ବାହାରେ ଷ୍ଟାର୍ଟଅପ୍ ସ୍ଥାପନ କରି ତାହାକୁ ୟୁନିକର୍ଣ୍ଣରେ ପରିଣତ କରିଛନ୍ତି। କୌଣସି ଷ୍ଟାର୍ଟଅପ୍ ସଂସ୍ଥାର ମୂଲ୍ୟ ୧୦୦ କୋଟି ଡଲାରରୁ ଅଧିକ ହୋଇଗଲେ ତାହାକୁ ୟୁନିକର୍ଣ୍ଣ ଭାବେ ବିଚାର କରାଯାଉଛି।
ସୂଚନା ଅନୁସାରେ, ‘ଦି କ୍ରେଡିବଲ୍’ ନାମକ ସଂସ୍ଥାର ତଥ୍ୟ ଅନୁସାରେ ମହାରାଷ୍ଟ୍ର ସର୍ବାଧିକ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ବେଳେ ଏହା ପଛକୁ ରହିଛି ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁ ମଧ୍ୟ ୟୁନିକର୍ଣ୍ଣ ସୃଷ୍ଟି କରିବାରେ ଆଗରେ ରହିଛି। ଚାରି ଓଡ଼ିଆ ୟୁନିକର୍ଣ୍ଣ ପ୍ରତିଷ୍ଠାତାଙ୍କ ମଧ୍ୟରୁ ‘ଓୟୋ’ ସ୍ଥାପନ କରିଥିବା ରିତେଶ ଅଗ୍ରୱାଲ୍ ୨୦୧୧ରେ ସେ ଓରାଭେଲ୍ ଷ୍ଟେ ନାମକ ଏକ କମ୍ପାନୀ ଗଠନ କରିଥିଲେ ଯାହା ୨୦୧୩ ମେ’ରୁ ଓୟୋ ରୁମ୍ସ ଭାବେ ଆଗକୁ ବଢ଼ିଥିଲା ଏବଂ ଏହା ୨୦୧୮ରେ ୟୁନିକର୍ଣ୍ଣ ମାନ୍ୟତା ହାସଲ କରିଥିଲା।
ସେହିପରି ଆଶିଷ ମହାପାତ୍ର ନିଜ ପତ୍ନୀ ରୁଚି କାଲ୍ରାଙ୍କ ସହ ମିଶି ଦୁଇଟି ଷ୍ଟାର୍ଟଅପ୍ ‘ଅଫ୍ବିଜନେସ୍’ ଓ ‘ଅକ୍ସିଜୋ’ ସ୍ଥାପନ କରିଥିଲେ। ୨୦୧୬ରେ ସେ ଅଫ୍ବିଜନେସ୍ ଓ ୨୦୧୭ରେ ଅକ୍ସିଜୋ ସ୍ଥାପନ କରିଥିଲେ। ଆଶିଷ ଓ ରୁଚି ହେଉଛନ୍ତି ଦେଶର ପ୍ରଥମ ୟୁନିକର୍ଣ୍ଣ ଦମ୍ପତି। ସେହିପରି ଜେଟ୍ୱେର୍କର ପ୍ରତିଷ୍ଠାତା ଅମୃତ ଆଚାର୍ଯ୍ୟ ତାଙ୍କ ତିନି ଜଣ ବନ୍ଧୁଙ୍କ ସହ ମିଶି ଜେଟ୍ୱେର୍କକୁ ସ୍ଥାପନ କରିଥିଲେ। ଯାହା ବର୍ତ୍ତମାନ ବିଭିନ୍ନ କମ୍ପାନୀ ଲାଗି ଶିଳ୍ପ ଓ ଉପଭୋକ୍ତା ଉତ୍ପାଦ ଉତ୍ପାଦନ କରୁଛି। ୨୦୨୧ରେ ଏହି ସଂସ୍ଥା ୟୁନିକର୍ଣ୍ଣରେ ପରିଣତ ହୋଇଥିଲା। ସେହିପରି ପର୍ପଲର ପ୍ରତିଷ୍ଠାତା ରାହୁଲ ଦାଶ ନିଜ ଆଇଆଇଟି ଖଡ଼ଗପୁର ପାଠପଢ଼ା ସମୟର ବନ୍ଧୁ ମନୀଷ ତନେଜାଙ୍କ ସହ ମିଶି ୨୦୧୧ରେ ମୁମ୍ବାଇରେ ପର୍ପଲ୍କୁ ପ୍ରତିଷ୍ଠା କରିଥିଲେ। ତାହା ହେଉଛି ଏକ ବିଉଟି ଉତ୍ପାଦ ଅନଲାଇନ୍ ରିଟେଲ୍ କମ୍ପାନୀ ଯାହା ୨୦୨୨ରେ ୟୁନିକର୍ଣ୍ଣରେ ପରିଣତ ହୋଇଥିଲା। ଏହି ୪ ଓଡ଼ିଆ ବିଦେଶରେ ମଧ୍ୟ ନିଜର ଜଲୱା ଦେଖାଇ ସାରିଲାଣି।
ଅଧିକ ପଢନ୍ତୁ ; ବ୍ୟାଙ୍କ ନାମରେ ହେଉଛି ଫ୍ରଡ