ମୁମ୍ବାଇ, ଏପ୍ରିଲ ୨୩ (ଖବର ଓଡ଼ିଶା): ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ଠିକଣାରେ ଆୟକର ବିଭାଗର ଅଧିକାରୀମାନେ ଚଢ଼ଉ କରିଛନ୍ତି । ବ୍ୟବସାୟୀ ଜଣକ ନଗଦ ୯.୭୮ କୋଟି ଓ ୧୯ କିଲୋ ରୁପାର ଇଟା ଲୁଚାଇ ରଖିଥିଲେ । ବ୍ୟାପକ ପରିମାଣର ନଗଦ ଟଙ୍କା ଗଣିବା ପାଇଁ ଆୟକର ବିଭାଗର ଅଧିକାରୀଙ୍କୁ ୬ ଘଣ୍ଟା ସମୟ ଲାଗିଥିଲା ।
ମହାରାଷ୍ଟ୍ର ଜିଏସ୍ଟି ବିଭାଗକୁ ମୁମ୍ବାଇର ଜୋଭେରୀ ବଜାରରେ ରହୁଥିବା ଅଳଙ୍କାର ବ୍ୟବସାୟୀ ଚାମୁଣ୍ଡାଙ୍କ ଉପରେ ନଜର ଥିଲା । ଆର୍ଥିକ ବର୍ଷ ୨୦୧୯-୨୦ରେ ଏହି ବ୍ୟବସାୟୀଙ୍କ ଟର୍ଣ୍ଣଓଭର ୨୨.୮୩ ଲକ୍ଷ ଟଙ୍କା ଥିଲା । ଆଗାମୀ ଆର୍ଥିକ ବର୍ଷ ୨୦୨୦-୨୧ରେ ଏହା ବଢ଼ି ୬୫୨ କୋଟି ହୋଇଥିଲା । ପରବର୍ତ୍ତୀ ଆର୍ଥିକ ବର୍ଷରେ ମଧ୍ୟ ବ୍ୟବସାୟ ଭଲ ହୋଇଥିଲା ଏବଂ ଆର୍ଥିକ ବର୍ଷ ୨୦୨୧-୨୨ରେ ୧୭୬୪ କୋଟି ହୋଇଥିଲା ।
ଏହା ପରେ ମହାରାଷ୍ଟ୍ର ଜିଏସଟି ଟିମ୍ର ଅଧିକାରୀମାନେ ଏପ୍ରିଲ ୧୬ରେ ଜାଭେରୀ ବଜାରସ୍ଥିତ ବ୍ୟବସାୟୀଙ୍କ ଠିକଣାରେ ଚଢ଼ଉ କରିଥିଲେ । ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ବ୍ୟବସାୟୀ ଜଣକ ନିଜର ବ୍ୟବସାୟ ନେଇ ଜିଏସଟି ବିଭାଗକୁ ଅନ୍ଧାରରେ ରଖିଥିଲେ । ଚଢ଼ଉ ସମୟରେ ବ୍ୟବସାୟୀଙ୍କ ଠିକଣାରେ ୯.୭୮ କୋଟି ନଗଦ ଟଙ୍କା ଓ ୧୯ କିଲୋ ରୁପାର ଇଟା (ଏହାର ମୂଲ୍ୟ ୧୩ ଲକ୍ଷ ଟଙ୍କା) ମିଳିଥିଲା । କିନ୍ତୁ ବ୍ୟବସାୟୀ ଜଣକ ଏବାବଦରେ ପୂରା କହିବାକୁ ମନା କରିଥିଲେ ।