ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ଦେଶର ଆଉ ଏକ ବ୍ୟାଙ୍କରେ ତାଲା ଝୁଲିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପୁଣେର ରୁପି ସହକାରୀ ବ୍ୟାଙ୍କକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ସେପ୍ଟେମ୍ବର ୨୨ ତାରିଖ ଠାରୁ ଏହି ବ୍ୟାଙ୍କ ନିଜର ବ୍ୟାଙ୍କିଙ୍ଗ ସେବା ବନ୍ଦ କରିଦେବ । ଯଦି ଆପଣଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି, ତା’ହେଲେ ଟଙ୍କା ତୁରନ୍ତ କାଢ଼ିନିଅନ୍ତୁ । ଅଥବା ସେପ୍ଟେମ୍ବର ୨୨ ପରେ ଆପଣ ଏହି ବ୍ୟାଙ୍କରେ ଥିବା ଆକାଉଣ୍ଟରୁ ଟଙ୍କା ବାହାର କରିପାରିବେ ନାହିଁ । ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ ନ କରିଥିବାରୁ ରୁପି ସହକାରୀ ବ୍ୟାଙ୍କରେ ତାଲା ଝୁଲିବ ।
ରିଜର୍ଭ ବ୍ୟାଙ୍କ ଅଗଷ୍ଟରେ ପୁଣେସ୍ଥିତ ରୁପି ସହକାରୀ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ବ୍ୟାଙ୍କ ସେପ୍ଟେମ୍ବର ୨୨କୁ ନିଜର କାମକାର୍ଯ୍ୟ ବନ୍ଦ କରିଦେବ । ଏଥି ପାଇଁ ଗ୍ରାହକମାନେ ଆଜି ଗୋଟିଏ ଦିନ ମଧ୍ୟରେ ନିଜର ଟଙ୍କା ବାହାର କରିଦେଲେ ଭଲ । ଏହା ପରେ ଗ୍ରାହକମାନେ ଏହି ବ୍ୟାଙ୍କରେ ରଖିଥିବା ଟଙ୍କାକୁ ବାହାର କରିପାରିବେ ନାହିଁ ବୋଲି ଆରବିଆଇ ପରାମର୍ଶ ଦେଇଛି । ଆରବିଆଇ ଅନୁସାରେ ରୁପି ସହକାରୀ ବ୍ୟାଙ୍କ ଲିମିଟେଡର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା ଏବଂ ବ୍ୟାଙ୍କ ପାଖରେ ରାଶି ନଥିଲା । ଏହି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ବ୍ୟାଙ୍କିଙ୍ଗ ଲାଇସେନ୍ସ ରଦ୍ଦ କରିଦେଇଥିଲା ।