ଶକ୍ତିସ୍ୱରୂପିଣୀ ମା’ ଦୁର୍ଗା। କେଉଁଠି ସେ ଅଷ୍ଟଭୂଜା ତ ପୁଣି କେଉଁଠି କାତ୍ୟାୟନୀ। ସେ ଅଭୟ ବରଦାୟିନୀ ଆଉ ଦୁର୍ଗତୀନାଶିନୀ। ଦୁର୍ଗାପୂଜା ଆଜି ଘରେ ଘରେ ପରିଚିତ ଆଉ ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ମାଙ୍କ ଆଗମନରେ ସବୁଆଡେ ଚଳଚଞ୍ଚଳ ହୋଇପଡିଛି । ପ୍ରତିବର୍ଷ ସାରାଦେଶରେ ମା ଦୁର୍ଗାଙ୍କ ପୂଜା ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ପଶ୍ଚିମବଙ୍ଗ ଏବଂ ବିଶେଷକରି ଏହାର ରାଜଧାନୀ କୋଲକାତା ଦେଶର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରୁଥିବା ବୃହତ, ପୂଜାପାଠ ପାଇଁ ପ୍ରସିଦ୍ଧ । କେବଳ ଦେଶରେ ନୁହେଁ, ସର୍ବଭାରତୀୟ ସ୍ତରରେ ମଧ୍ୟ କୋଲକାତାର ଦୁର୍ଗା ପୂଜା ପାଣ୍ଡାଲ ଏବଂ ଉତ୍ସବ ପ୍ରସିଦ୍ଧ ଅଟେ। ଚଳିତବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କ ମନଜିଣୁଛି କୋଲକାତା ଦୁର୍ଗା ପୂଜା ।
ଦୁର୍ଗା ପୂଜା ଅର୍ଥ ହେଉଛି ଅନ୍ୟାୟ ଉପରେ ନ୍ୟାୟର ବିଜୟ । ମା ଦୁର୍ଗା ଆମ ସମାଜ ଉପରେ ଅନ୍ଧକାର ସୃଷ୍ଟି କରୁଥିବା ମନ୍ଦତାକୁ ପରାସ୍ତ କରିବାର ଶକ୍ତି ଦେଇ ଆମକୁ ଆଶୀର୍ବାଦ ଦିଅନ୍ତି ଏବଂ ମାଙ୍କର ଆଶୀର୍ବାଦ ତଥା କଲ୍ୟାଣରେ ଜୀବନରୁ ସମସ୍ତ ନକାରାତ୍ମକ ଶକ୍ତି ଦୂରେଇଦେଇଥାଏ । ଏହାରି ମଧ୍ୟରେ ଦୁର୍ଗାପୂଜା ଅବସରରେ ଆଲୋକମାଳାରେ ସଜେଇହୋଇଛି କୋଲକାତା ସହର। ଉତ୍ତର କୋଲକାତାରୁ ଆରମ୍ଭ କରି ଦକ୍ଷିଣ କୋଲକାତା ପର୍ଯ୍ୟନ୍ତ ସବୁଠି ଶୋଭା ପାଉଛି ରଙ୍ଗୀନ ଆଲୋକମାଳା। ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଧି ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଭଳିକି ଭଳି ଲାଇଟ୍ ଗେଟ୍ । ଦୁର୍ଗା ପୂଜା ପାଇଁ କୋଲକାତାରେ ଅନେକ ଭିନ୍ନ ପରମ୍ପରା ଦେଖିବାକୁ ମିଳୁଛି ।
କୋଲକାତା ନଗରୀରେ ଦୁର୍ଗାପୂଜାରେ ତିଆରି ହୋଇଛି ସୁଉଚ୍ଚ ତୋରଣ। ତୋରଣମାନଙ୍କରେ ହୋଇଥିବା ଏହିସବୁ କାରୁକାର୍ଯ୍ୟ ଦେଖିବା ପାଇଁ ଦେଶବିଦେଶରୁ ଅନେକ ଭକ୍ତ କୋଲକାତା ବୁଲିବାକୁ ଆସୁଛନ୍ତି । ଏହି ସବୁ ତୋରଣଗୁଡ଼ିକୁ ଦେଖିବାକୁ ଲୋକମାନେ ଲମ୍ବାଲାଇନରେ ଧାଡ଼ି ମଧ୍ୟ ବାନ୍ଧିଛନ୍ତି । ତେବେ କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ସେହି ଭବ୍ୟ ରାମ ମନ୍ଦିରର ଅବିକଳ ନକଲ । ଦୁର୍ଗା ପୂଜା ପାଇଁ ରାମ ମନ୍ଦିର ଷ୍ଟାଇଲରେ ତିଆରି ହୋଇଛି ତୋରଣ । ପ୍ରଥମ ଥର ଏଭଳି ଏକ ପୂଜା ପେଣ୍ଡାଲ ଦେଖି ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ଲୋକମାନେ ଉତ୍ସାହର ସହ ଅଯୋଦ୍ଧାର ଅବିକଳ ରାମମନ୍ଦିର ଦେଖିବାକୁ ବହୁ ମାତ୍ରାରେ ଆସୁଛନ୍ତି। ରାମମନ୍ଦିରର ତୋରଣରେ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରୁଛି ଏହି ତୋରଣ । ଏଥିସହ କୋଲକାତାର ରାଜଡାଙ୍ଗା ନବୋଦୟ ସଂଘ,ଯୋଧପୁର ପାର୍କ,ନେତାଜୀ ସେବଦଳ ସମିତି,ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ,ତେଲେଙ୍ଗା ବାଗାନ୍ ,କୁମାରତୁଲୀ ,ବ୍ୟାଘବଜାର,ଅଲିପାର୍କ ଇତ୍ୟାଦି ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଜିନିଷକୁ ନେଇ ନିଆରା ତୋରଣ କରାଯାଇଛି ଯାହା ଶ୍ରଦ୍ଧାଳୁମାନକୁ ଆକୃଷ୍ଟ କରୁଛି । ଏହି ସବୁ ସ୍ଥାନରେ ତୋରଣ ଦେଖିବା ପାଇଁ ଭିଡ ଜମି ରହିଛି ।
ଅଧିକ ପଢନ୍ତୁ :ଆଜି ମଣ୍ଡପରେ ସପ୍ତମୀ ଓ ପୀଠରେ ମା'ଙ୍କର ଅଷ୍ଟମୀ ପୂଜା