ପୁରୀ: ଚଳିତ ବର୍ଷ ପଞ୍ଚୁକ ବ୍ରତ ୫ ଦିନ ବଦଳରେ ୪ ଦିନ ପାଳନ ହେବ । ଆସନ୍ତା ୧୨ ତାରିଖରୁ ୧୫ ତାରିଖ ଯାଏ ପଞ୍ଚୁକ ବ୍ରତ ଅନୁଷ୍ଠିତ ହେବ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଚଳିତଥର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ଵିତୀୟ ଦିନ ବାଙ୍କଚୁଳ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ତିନି ଠାକୁର ।
କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି । ପଞ୍ଚୁକ ସମୟରେ ଏହି ଗହଳି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଭକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଦର୍ଶନ କିପରି ସୁରୁଖରେ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି ।
ପଞ୍ଚୁକ ସମୟରେ ୩୮ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ସେହିପରି ବ୍ୟାରିକେଡ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି । ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଏସପି ବିନୀତ ଅଗ୍ରୱାଲ ।