ଭୁବନେଶ୍ୱର: ହରିୟାଣାର କୁରୁକ୍ଷେତ୍ରରେ ଆରମ୍ଭ ହୋଇଛି ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ। ଚଳିତ ବର୍ଷ ତାଞ୍ଜାନିଆ ପାର୍ଟନର ଦେଶ ଭାବେ ମହୋତ୍ସବରେ ଯୋଗଦେଇଥିବା ବେଳେ ଓଡିଶା ଷ୍ଟେଟ୍ ପାର୍ଟନର ଭାବେ ଯୋଗଦେଇଛି । ହରିୟାଣାର ରାଜସ୍ଵ ମନ୍ତ୍ରୀ ବିପୁଲ ଗୋୟଲ ଏବଂ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶାର ପ୍ରିନସିପାଲ୍ ରେସିଡେଣ୍ଟ କମିଶନର ବିଶାଲ ଗଗନ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି ଅବସରରେ "ଓଡ଼ିଶା ମଣ୍ଡପ" ଉଦ୍ଘାଟିତ ହୋଇଛି । ମଣ୍ଡପରେ ଓଡ଼ିଶାର ଗୌରବମୟ ଇତିହାସ, କଳା, ସଂସ୍କୃତି ଏବଂ ଐତିହ୍ୟ ଆଦିକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଓଡ଼ିଶାର ପ୍ରସିଦ୍ଧ ପଟ୍ଟଚିତ୍ର, ଚାନ୍ଦୁଆ, ରୌପ୍ୟ ତାରକସି କାର୍ଯ୍ୟ ଏବଂ ବିଭିନ୍ନ ପ୍ରସିଦ୍ଧ କାରୁକାର୍ଯ୍ୟକୁ ମଧ୍ୟ ଓଡ଼ିଶା ମଣ୍ଡପରେ ସ୍ଥାନିତ କରାଯାଇଛି । ଏଥିସହ ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ, ପ୍ରସିଦ୍ଧ ସମ୍ବଲପୁରୀ ଇକତ, ପାଟଶାଢୀ, ଟସର ସିଲ୍କ ଆଦିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ମଣ୍ଡପରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଓଡ଼ିଶା ପ୍ରସିଦ୍ଧ ଡ଼ାଲମା, ରସଗୋଲା ଓ ଛେନାପୋଡ଼ ଆଦି ଖାଦ୍ୟ ।
ଏଥିସହ ଗୀତା ମହୋତ୍ସବରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ ଯଥା ସମ୍ବଲପୁରୀ, କଣ୍ଢେଇ ନାଚ, ଢେମସା, ଛଉ, ଗୋଟିପୁଅ, ଡାଲଖାଇ, ଦୁଲଦୁଲି, ଘୁମୁରା ଆଦି ମଧ୍ୟ ଦୈନିକ ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, "ଚଳିତବର୍ଷ ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବରେ ଓଡ଼ିଶା ପାର୍ଟନର ଷ୍ଟେଟ୍ ଭାବେ ଯୋଗଦେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ।ଗୀତା ମହୋତ୍ସବରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ନିର୍ମିତ ହୋଇଥିବା ଓଡ଼ିଶା ମଣ୍ଡପ ହେଉଛି ଓଡ଼ିଆ ଅସ୍ମିତାର ଏକ ନିଚ୍ଛକ ନିଦର୍ଶନ। ଓଡ଼ିଶା ମଣ୍ଡପରେ ଓଡ଼ିଶାର ପ୍ରମୁଖ ଚିତ୍ରକଳା, ହସ୍ତତନ୍ତ, ବୟନଶିଳ୍ପ, ପର୍ଯ୍ୟଟନ ସ୍ଥଳୀ, ଲୋକନୃତ୍ୟ ଏବଂ ଓଡ଼ିଶାର ଖାଦ୍ୟ ପରମ୍ପରା ଆଦିକୁ ବେଶ୍ ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି ଯାହାକି ଦେଶ ବିଦେଶରୁ ଆସିଥିବା ସମସ୍ତ ଦର୍ଶକମାନଙ୍କ ପାଇଁ ଏକ ଶୈକ୍ଷଣିକ ବିଷୟ ବସ୍ତୁ ଭାବେ କାର୍ଯ୍ୟ କରିବା ସହ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଆମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ୨୦୧୬ ମସିହାରେ ଗୀତା ମହୋତ୍ସବ ଭାରତରେ ଆରମ୍ଭ ହେବା ପରେ ୨୦୧୯ ମସିହାରୁ ଲଣ୍ଡନ, କାନାଡ଼ା, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ମଧ୍ୟ ଗୀତା ମହୋତ୍ସବର ଆୟୋଜନ କରାଯାଉଛି ।