ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବା ନେଇ ପାଣିପାଗ ବୈଜ୍ଞାନିକମାନେ ବର୍ତ୍ତମାନ ପୂର୍ବାନୁମାନ କରିଛନ୍ତି । ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଅନେକ ଗବେଷଣା କରିବା ପରେ ଆମକୁ ବାତ୍ୟାର ସମ୍ଭାବନା ନେଇ ସୂଚିତ କରାଇଥାନ୍ତି । କିନ୍ତୁ ବିଜ୍ଞାନକୁ ଆଳ କରି ଯେଉଁ ଜାତକ ଏବଂ ପଞ୍ଜିକାକୁ କିଛି ଲୋକ ହେ ଜ୍ଞାନ କରନ୍ତି ସେହି ପଞ୍ଜିକା ଆମକୁ ବର୍ଷ ଆରମ୍ଭରୁ ବାତ୍ୟାର ପୂର୍ବାଭାଷ ଦେଇଛି । ତୁଳାମାସ ଅର୍ଥାତ ଅକ୍ଟୋବର ମାସରେ ମହାବାତ୍ୟା ଆସିବ ବୋଲି ପୂର୍ବାନୁମାନ କରିଥିଲେ ଖଡ଼ିରତ୍ନ ପଞ୍ଜିକାର ଜ୍ୟୋର୍ତିବିଦମାନେ ।
ପଠାଣି ସାମନ୍ତ ଦୁଇ ଖଣ୍ଡ କାଠିରେ ଭବିଷ୍ୟ ଗଣନା କରୁଥିଲେ । ପଞ୍ଜିକାକୁ ନେଇ ତାଙ୍କର ଅତୁଳନୀୟ ଅବଦାନ ରହିଛି । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ । ତାଙ୍କ ପରେ ଅନେକ ଜ୍ୟୋତିର୍ବିଦମାନେ ଗ୍ରହ, ନକ୍ଷତ୍ରକୁ ଦେଖି ଆମ ରାଜ୍ୟ ତଥା ଦେଶ ଉପରେ ଆସୁଥିବା ଅନେକ ବିପଦର ଆଗୁଆ ସୂଚନା ଦେଇଥାନ୍ତି । ସେହିପରି ଚଳିତ ବର୍ଷ ଖଡ଼ିରତ୍ନ ପଞ୍ଜିକାରେ ମହାବାତ୍ୟା ନେଇ ପୂର୍ବାନୁମାନ କରାଯାଇଥିଲା । ଏମିତିକି ମାସ ଏବଂ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି ।
ଖଡ଼ିରତ୍ନ ପଞ୍ଜିକାର ପୂର୍ବାନମାନ ଅନୁଯାୟୀ, ଜଳ ବିଷୁବ ସଂକ୍ରାନ୍ତି ଦାଢ଼ ସଞ୍ଚାର ହେତୁ ଦୀନ ଜଳ ବୃଷ୍ଟି ହେବ । ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କର ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ସ୍ଥାନରେ ଘୂର୍ଣ୍ଣିବାତ୍ୟା, ପ୍ରଚଣ୍ଡ ବାୟୁ ପ୍ରବାହ ଏବଂ ସାମୁଦ୍ରିକ ଝଡ଼ ତଥା ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅକ୍ଟୋବର ୧୭ରୁ ୨୩, ଅକ୍ଟୋବର ୨୬ରୁ ୩୦, ନଭେମ୍ବର ୫ ରୁ ୯ ତାରିଖ ଏବଂ ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟର ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ , ଜୁଆର ଆଦି ହେବାର ସମ୍ଭାବନା ରହିଥିବା ପଞ୍ଜିକାରେ ଉଲ୍ଲେଖ କରାଯାଇଛି । ଏହା ସହିତ ଅନେକ ଧନ ଜୀବନ ମଧ୍ୟ ପ୍ରଭାବିତ ହେବ ।
ସେହିପରି ଶୀତ ନେଇ ମଧ୍ୟ ଆକଳନ କରାଯାଇଛି । ଜ୍ୟୋତିର୍ବିଦମାନେ ଚଳିତ ମାସଠାରୁ ଶୀତ ହେବ ବୋଲି ମଧ୍ୟ ଆକଳନ କରିଛନ୍ତି ।