ପୁରୀ: ପୁଣି ଥରେ ଜଗନ୍ନାଥ ସଂସ୍କୃତି ବିରୋଧରେ କାର୍ଯ୍ୟ କରିଛି ଇସ୍କନ ସଂଗଠନ । ଅଦିନରେ ଆୟୋଜିତ ହୋଇଛି ମହାପ୍ରଭୁଙ୍କ ମହାସ୍ନାନ ଏବଂ ରଥଯାତ୍ରା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା କରିଛନ୍ତି ଜଗନ୍ନାଥ ପ୍ରେମୀ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟାନାୟକ ମଧ୍ୟ ଟୁଇଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି ।
ଆମେରିକାର ହୋଷ୍ଟନରେ ଇସ୍କନ ସଂଗଠନ ପକ୍ଷରୁ ଜ୍ୟେଷ୍ଠ ଏବଂ ଆଷାଢ଼ ମାସ ବଦଳରେ କାର୍ତ୍ତିକ ମାସରେ ରଥଯାତ୍ରା କରିବାକୁ ଆୟୋଜନ କରାଯାଇଛି । ଆଗାମୀ ନଭେମ୍ବର ୩ରେ ମହାପ୍ରଭୁଙ୍କ ଦେବସ୍ନାନ ଏବଂ ନଭେମ୍ବର ୯ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ।
ତେବେ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟାନାୟକ । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଅଦିନିଆ ରଥଯାତ୍ରା ନ କରିବାକୁ ହୋଷ୍ଟନ୍ ଇସ୍କନ ସଂଗଠନକୁ ଅନୁରୋଧ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଜଡ଼ିତ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ରଥଯାତ୍ରାର ପରମ୍ପରାକୁ ପରିବର୍ତ୍ତନ ନ କରିବାକୁ ସେ କହିଛନ୍ତି ।
ତେବେ ଅଦିନରେ ରଥଯାତ୍ରା କରିବା ଇସ୍କନର ନିୟମିତ ସ୍ୱଭାବ ହୋଇଯାଇଛି । ପୂର୍ବରୁ ମଧ୍ୟ ଜଗନ୍ନାଥ ସଂସ୍କୃତିକୁ ବିକୃତ କରିବାକୁ ବାରମ୍ବାର ଇସ୍କନ ଚେଷ୍ଟା କରିଛି । ଗଜପତିଙ୍କ ତାଗିଦ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୦୧୯ ମସିହାରେ ନଭେମ୍ବର ୨୭ ତାରିଖରେ ପଞ୍ଜାବ ଲୁଧିଆନାରେ ଇସ୍କନ ପକ୍ଷରୁ ଅଦିନିଆ ରଥାଯାତ୍ରା କରାଯାଇଥିଲା । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଏବଂ ପୁରୀ ଗଜପତି ମହାରାଜ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ପରେ ଏଥିରୁ ଓହରିଥିଲା ଲୁଧିଆନା ଇସ୍କନ । ସେହିପରି ୨୦୨୦, ମାର୍ଚ୍ଚ ୧୮ ତାରିଖରେ ମଥୁରାରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା କରାଯାଇଥିଲା । ସେହିପରି ୨୦୨୨, ଡିସେମ୍ବର ୧୦ ତାରିଖରେ ପଞ୍ଜାବ ଅମୃତସର ସହରରେ ରଥଯାତ୍ରା ଆୟୋଜନ କରାଯାଇଥିଲା । ୨୦୨୩, ଜୁନ ୨୪ରେ ରଥଯାତ୍ରାର ତିଥି ନ ଥିବା ସତ୍ତ୍ୱେ ଗ୍ୱାଲିଅରରେ ରଥଯାତ୍ରା କରାଯାଇଥିଲା ।