ପୁରୀ: ଜ୍ଞାନ ହେଉଛି ପ୍ରକୃତ ଶକ୍ତି । ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି। ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ । ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ ଦିଶାକୁ ଦିଗ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ପୁରୀ ଜିଲ୍ଲା ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହା ସହିତ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଶିକ୍ଷା ପଦ୍ଧତି ଓ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏବେ ନିଯୁକ୍ତି ଓ ରୋଜଗାରର ଅମାପ ସୁଯୋଗ ରହିଛି । ଏହାର ସଦୁପଯୋଗ କରିବା ପାଇଁ ଶିକ୍ଷା ସହିତ ଉପଯୁକ୍ତ ଦକ୍ଷତା ବିକାଶ ତାଲିମ୍ ର ଆବଶ୍ୟକତା ରହିଛି । ଚଳିତ ବଜେଟରେ ଦେଶର ଏକ କୋଟି ଯୁବଗୋଷ୍ଠୀଙ୍କୁ ପ୍ରତିଷ୍ଠିତ କମ୍ପାନୀମାନଙ୍କ ଜରିଆରେ ଶିଳ୍ପ ଉପଯୋଗୀ କରିବାପାଇଁ ଷ୍ଟାଇପେଣ୍ଡ ସହ ଇଣ୍ଟର୍ନସିପ୍ ର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦେଶରେ ନୂତନ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରାଯାଇଛି । ଯୁବପିଢିଙ୍କୁ ଏକ ସାମଗ୍ରିକ ଶିକ୍ଷା ଦ୍ଵାରା ଯୋଗ୍ୟ କରିବା ହେଉଛି ଆମର ଲକ୍ଷ୍ୟ ।
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ଯୋଜନା ରହିଛି । ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିକୁ ସୁଦୃଢ କରିବାପାଇଁ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମ ଶିକ୍ଷା ବ୍ୟବସ୍ଥାକୁ ଆହୁରି ବଳିଷ୍ଠ କରିବ ।
ଅଧିକ ପଢ଼ନ୍ତୁ- ଯୁକ୍ତ ୨ ପରୀକ୍ଷା ପାଇଁ ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା, ଗୁଜବ ପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାବିଦ୍ୟାଳୟର ନବନିର୍ମିତ ନୂତନ ଶ୍ରେଣୀଗୃହ ଓ ପ୍ରଶାସନିକ ଗୃହର ଉଦଘାଟନ କରିବା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନେପାଳର କାଠମାଣ୍ଡୁ ଠାରେ ଆୟୋଜିତ South Asian Combat Championship ରେ ମେଡାଲ ହାସଲ କରିଥିବା ଓ ସର୍ବ ଭାରତୀୟ କୋଷ୍ଟାଲ ଟ୍ରେକିଙ୍ଗ ଓ ମାଉଣ୍ଟେନ କୋର୍ସ ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଛନ୍ତି, ବିଶିଷ୍ଟ ସମାଜସେବୀ ସୁରଜମଲ ସାହା ସାହସ, ତ୍ୟାଗ, ସମର୍ପଣ ଓ ତିତିକ୍ଷାର ପ୍ରତୀକ ଥିଲେ । ସେ ପ୍ରତ୍ୟକ୍ଷ ରାଜନୀତିରେ ନଥାଇ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସଦା ସର୍ବଦା ଚେଷ୍ଟିତ ଥିଲେ । ଏହି ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ହେଉଛନ୍ତି, ଜାତୀୟ ସ୍ତରର ଖେଳାଳୀ, ଏହା ଏକ ଗୌରବର କଥା । ରାଜ୍ୟର ବିକାଶ ଓ ସମୃଦ୍ଧି, ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରୁଛି। ନିଜର ଉଜ୍ଜ୍ୱଳ ଭବିଷ୍ୟତ ଜରିଆରେ ରାଜ୍ୟ ତଥା ଦେଶର ବିକାଶ ପ୍ରତି ସମସ୍ତେ ଯତ୍ନବାନ ହେବାପାଇଁ ସେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।