ନୂଆଦିଲ୍ଲୀ: ମାଆ ସୋନିଆ ଗାନ୍ଧୀଙ୍କ ପରେ ବିରୋଧୀ ଦଳ ନେତା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲୋକସଭାରେ ଆଗତ ହୋଇଛି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କ ନିକଟରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛନ୍ତି । ବିଜେପି ସାଂସଦ ତାଙ୍କ ଚିଠିରେ କହିଛନ୍ତି ଯେ ରାହୁଲ ତାଙ୍କ ଭାଷଣରେ "କେବଳ ଐତିହାସିକ ଏବଂ ବାସ୍ତବ ତଥ୍ୟକୁ ବିକୃତ କରି ନାହାଁନ୍ତି ବରଂ ଆମ ଦେଶକୁ ଉପହାସ କରିବା ଏବଂ ଆମ ଗଣତନ୍ତ୍ରର ମର୍ଯ୍ୟାଦାକୁ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି ।
ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଭାଷଣ ରଖିବାବେଳେ ରାହୁଲ ଗାନ୍ଧୀ ୬ଟି ପ୍ରସଙ୍ଗରେ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି । ସେଗୁଡ଼ିକ ହେଲା ଚୀନ ଜମି ନେଇଯିବା, ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତର ଅନୁପସ୍ଥିତି, ମହାରାଷ୍ଟ୍ର ନିର୍ବାଚନ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଯୁକ୍ତି । ଏ ନେଇ ରାହୁଲଙ୍କୁ ପ୍ରମାଣ ଦେବାକୁ କୁହାଯାଇଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ସେ ସଂସଦରେ ମର୍ଯ୍ୟାଦା ଭଙ୍ଗ କରିବା ସହ ଦେଶର ଅପମାନିତ କରିଛନ୍ତି । ତେଣୁ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସାଂସଦ ଦାବି କରିଛନ୍ତି ।
ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଚାରି ମହିଳା କହିବାକୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ ହୋଇଛି । ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିଥିବା ବିଜେପି ଅଭିଯୋଗ କରିଛି । ବିଜେପିର ୪୦ ସାଂସଦ ଏହି ନୋଟିସ୍ର ସମର୍ଥନ କରିଛନ୍ତି ।