ପୁଣି ଏକ ଗୋରୁବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି | କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଜବାହାଳ ବସଷ୍ଟାଣ୍ଡ ନିକଟରେ ଥିବା ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି | ଏକ ବେଆଇନ ଗୋରୁ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ୧୫ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହୁରି ଅନେକ ଗୋରୁ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ଆଜି ଭୋରରେ ଟ୍ରକ୍ଟି ପାଲଲହଡ଼ାରୁ କେନ୍ଦୁଝର ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଯାହା ଫଳରେ ଅନେକ ଗାଈଗୋରୁଙ୍କ ଦୁର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା | ଏହା ପରେ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ | ସ୍ଥାନୀୟ ଲୋକଙ୍କ ସହାୟତାରେ ତେଲକୋଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଗୋରୁମାନଙ୍କୁ ଟ୍ରକ୍ରୁ ଉଦ୍ଧାର କରିଥିଲେ। ଟ୍ରକ୍ରେ ଗୋରୁମାନଙ୍କୁ ଥାକ ଥାକ କରି ରଖାଯାଇଥିଲା। ଟ୍ରକ୍ ଓଲଟି ପଡ଼ିବାରୁ ୧୫ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋରୁମାନେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ କେଉଁଠାକୁ ଗୋରୁଚାଲାଣ ହେଉଥିଲା ତାହାର କୌଣସି ଖବର ମିଳିନାହିଁ। ସୂଚନା ପାଇବା ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଗାଡିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ : ବେଆଇନ ବାଣ ଗୋଦାମରେ ଚଢ଼ାଉ