କଇଁଛ ପାଇଁ ମହୋତ୍ସବ
Khabar Odisha:festival-for-turtles-in-maharastra
ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପର୍ବ ସରିଛି । ଅଣ୍ଡା ଦେଇ ମା କଇଁଛ ଫେରି ଯାଇଛି ସାଗର କୋଳକୁ । ବେଳାଭୂମିର ବାଲିବନ୍ତଗୁଡିକରେ ପଡି ରହିଛି ଅଣ୍ଡା। ଦେଶର ୯୦ ପ୍ରତିଶତ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ ପାଇଁ ଓଡିଶା ଆସୁଥିଲେ ହେଁ ଅଣ୍ଡାର ସୁରକ୍ଷା ଦିଗରେ ଆମେ ବିଶେଷ ଯତ୍ନଶୀଳ ହୋଇନାହୁଁ । ଆମଠୁ ଢ଼େର ଆଗରେ ଅଛି ମହାରାଷ୍ଟ୍ର । 
 
ମହାରାଷ୍ଟ୍ରର ଛୋଟ ଏକ ଗାଁ ଭେଲାସ କଇଁଛ ଉତ୍ସବ ପାଇଁ ସାରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ପ୍ରତିବର୍ଷ ମାର୍ଚ୍ଚ ମାସରେ ଭେଲାସ ପାଳୁଛି କଇଁଛ ଉତ୍ସବ । ମହାରାଷ୍ଟ୍ର ବନବିଭାଗ ଓ କସଭ ମିତ୍ରମଣ୍ଡଳ (କଇଁଛ ବନ୍ଧୁ) ଏହି ଉତ୍ସବ ପାଳନ ପାଇଁ ସହଯୋଗର ହାତ ବଢ଼ାଇ ଦେଇଛନ୍ତି ।
 
ଅଣ୍ଡା ଫୁଟି ଶାବକମାନେ ବେଳାଭୂମିରେ କୁନିପାଦ ପକାଇବାକୁ ଆରମ୍ଭ କରିବା ମାତ୍ରକେ ଭେଲାସ ଗାଁର ବେଳାଭୂମି ପ୍ରକୃତି ଓ ବନ୍ୟଜନ୍ତୁ ପ୍ରେମୀଙ୍କ ଭିଡରେ ଝଲସି ଉଠିବ । କଇଁଛ ଶାବକମାନଙ୍କୁ ନୀରିକ୍ଷଣ କରି ପର୍ଯ୍ୟଟକ ବିମୋହିତ ହେବା ବେଳକୁ ଗ୍ରାମବାସୀ ଏହି ବିରଳ ଜୀବଟିର ପାଳନକର୍ତ୍ତାର ଗୌରବକୁ ନେଇ ଗର୍ବ କରୁଥିବେ । ପର୍ବ ପାଳନ ପଛରେ ଯେଉଁ ଜନ୍ତୁ ସୁରକ୍ଷାର ଅତୀତ ରହିଛି ତାକୁ ସଫଳ କରିଥିବାରୁ ଖୁସି ମନାଉଥିବେ । 
 
୨୦୦୨ରେ ସହୟାଦ୍ରି ନିସର୍ଗ ମିତ୍ର ନାମକ ଏକ ସଙ୍ଗଠନ ସାମୁଦ୍ରିକ କଇଁଛ ସୁରକ୍ଷା ଦିଗରେ ଆଗକୁ ଆସିଥିଲେ । ଭେଲାସ ଗାଁରେ ଲୋକେ ଏକାଠି ହୋଇ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡା ଜଗିବା ଠାରୁ ଛୁଆ ଫୁଟିବା ଓ ଶାବକଟି ଖୋଳ ଭିତରୁ ବାହାରି ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଯେଉଁ ଦାୟିତ୍ୱ ନେଲେ ତାହା ଏବେ ଉତ୍ସବରେ ପରିଣତ ହୋଇଛି । ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଫେବୃଆରୀ-ମାର୍ଚ୍ଚ ମାସରେ ଏହି ଗାଁରେ ପହଞ୍ଚି ଅଣ୍ଡାଦାନ, ଲୋକଙ୍କ ସୁରକ୍ଷାର ପଣ ଓ ଶାବକଙ୍କ ସମୁଦ୍ର ମୁହାଁ ଯାତ୍ରା ଦେଖି ଫେରନ୍ତି । 
 
ଏହି ଗାଁର କବିତା ବାଗକର, ପ୍ରିୟଙ୍କା ଭୋଲେ, ପ୍ରକାଶ ଯୋଶି, ଅଭିଜିତ କୁଲାବକର ପ୍ରମୁଖ କଇଁଛ ଉତ୍ସବ ଆୟୋଜନରେ ମାତି ଯାଇଛନ୍ତି । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ତମ୍ବୁ ଘର, କଇଁଛ ଶାବକଙ୍କ ସମୁଦ୍ର ମୁହାଁ ଦର୍ଶନ,ପ୍ରାକୃତିକ ପର୍ଯ୍ୟଟନର ସୁବନ୍ଦୋବସ୍ତ କରି ରାଜସ୍ୱ ସଂଗ୍ରହରେ ଭେଲାସ ଏକ ନମୁନା ଗ୍ରାମ ହୋଇପାରିଛି ।
  • Tags:

Subscribe

National International State Sports Entertainment