ଭୁୁବନେଶ୍ୱର: ଜନତାଙ୍କ ନିକଟକୁ ସରକାରୀ ଯୋଜନାର ସଫଳ ରୂପାୟନ ପହଞ୍ଚାଇବାକୁ ହେଲେ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ସରଳ ହେବାକୁ ପଡିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧିକ ସଂଖ୍ୟକ ନୂଆ ବ୍ଲକ ଗଠନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ କମିଶନ ଗଠନ କରିବେ ବୋଲି ରାଜସ୍ୱ ଓ ବିପର୍ୟ୍ୟାୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ପ୍ରଶାସନକୁ ଲୋକଙ୍କ ଅଧିକ ନିକଟତର କରାଇବା ଉଦ୍ଦେଶ୍ୟରେ ବର୍ତ୍ତମାନର ବ୍ଲକଗୁଡ଼ିକର ପୁନର୍ଗଠନ କରି ନୂଆ ବ୍ଲକ ଗଠନର ଆବଶ୍ୟକତା ରହିଛି । ଏ ଦିଗରେ ରାଜ୍ୟ ସରକାର ବିଚାର କରୁଛନ୍ତି। ରାଜ୍ୟରେ ଶେଷଥର ପାଇଁ ୧୯୮୪ ମସିହାରେ ବ୍ଲକ ପୁନର୍ଗଠନ ହୋଇଥିଲା। ଏବେ ଲୋକସଂଖ୍ୟା ବୃଦ୍ଧି ଓ ପ୍ରଶାସନକୁ ନିକଟତର କରାଇବା ପାଇଁ ଅଧିକ ବ୍ଲକର ଆବଶ୍ୟକତା ରହିଛି। ସଂପ୍ରତି ରାଜ୍ୟରେ ୩୧୪ଟି ବ୍ଲକ ଅଛି।
ଶେଷଥର ପାଇଁ ୧୯୮୪ ମସିହାରେ ରାଜ୍ୟ ସରକାର ୧୦ଟି ନୂଆ ବ୍ଲକ ଗଠନ କରିଥିଲେ। ୪୦ବର୍ଷ ମଧ୍ୟରେ ଜନସଂଖ୍ୟାରେ ବହୁ ପରିମାଣରେ ବଢ଼ିଥିଲେ ମଧ୍ୟ ବ୍ଲକ ସଂଖ୍ୟା ସମାନ ରହିଛି। ଲୋକଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ପ୍ରଶାସନକୁ ସମସ୍ୟା ମଧ୍ୟ ହେଉଛି। ଅନେକ ସ୍ଥାନରେ ଲୋକଙ୍କୁ ବ୍ଲକ ଅଫିସ୍ ଯିବା ପାଇଁ ବହୁ ବାଟ ଅତିକ୍ରମ କରିବାକୁ ମଧ୍ୟ ପଡ଼ୁଛି। କୋରାପୁଟର ତେନ୍ତୁଳିଗୁମା ପଂଚାୟତର ଲୋକେ ପ୍ରାୟ ୭୫କିମି ବାଟ ଅତିକ୍ରମ କଲେ ତାଙ୍କ ବ୍ଲକ ବୈପାରିଗୁଡ଼ା ଆସୁଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ୧୯୫୮ ମସିହାରେ ବ୍ଲକ ସଂଖ୍ୟା ୧୨୪ ଥିବାବେଳେ ୧୯୬୧ରେ ଏହା ୨୧୪କୁ ଓ ୧୯୮୪ରେ ଏହା କ୍ରମାଗତ ବୃଦ୍ଧି ପାଇ ୩୧୪ରେ ପହଞ୍ଚିଛି ।