ଭୁବନେଶ୍ୱର : ନୂଆବର୍ଷରୁ ବଢ଼ିବ ଶୀତ । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରାଯାଇଛି । ପ୍ରବଳ ଜାଡ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ବଲାଙ୍ଗୀର, ବରଗଡ, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ନୂଆପଡାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ସମେତ କିଛି ଜିଲ୍ଲାରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି ।
ସେପଟେ ୩୧ ତାରିଖ ବେଳକୁ ରାଜ୍ୟରେ ରାତି ତାପମାତ୍ରା କମିବା ସହ ଶୀତ ବଢ଼ିବ। ଜିରୋ ନାଇଟରୁ ବଢିବ ଶୀତ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିବ।ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ହେବା ସହ ରାତିର ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ ଘଂଟା ମଧ୍ୟରେ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଟ୍ୱିନ ସିଟି ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।