ପୁରୀ : ନୂଆବର୍ଷରେ ପୁରୀରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିପାଇଁ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିଛନ୍ତି ଶ୍ରଦ୍ଧାଳୁ । ପୋଲିସକୁ ଧକ୍କା ଦେଇ ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି ।
ସୂଚନାଯୋଗ୍ୟ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ନିକଟ ଜନସମୁଦ୍ର ପାଲଟିଛି । ରାତି ଅଧରୁ ଶ୍ରୀମନ୍ଦିରରେ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ଅଧରେ ପହଡ଼ ଖୋଲିଥିଲା । ଭକ୍ତଙ୍କ ମଧ୍ୟରେ ଲାଗିଛି ପ୍ରବଳ ଉତ୍ସାହ । ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଠାକୁରଙ୍କୁ ଦର୍ଶନ ପରେ ତିନି ଦ୍ୱାର ଦେଇ ମନ୍ଦିରରୁ ବାହାରୁଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳୁଛି ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ବ୍ୟାରିକେଡ଼ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ଼ରେ ଫଙ୍ଖା ଲଗାଯାଇଛି । ଭକ୍ତଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ୩୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସ୍ବେଛାସେବୀଙ୍କୁ ଏଥିପାଇଁ ନିୟୋଜନ କରାଯାଇଛି । ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।