ବଲାଙ୍ଗୀର: ବର୍ଷ ଆରମ୍ଭରୁ ଅଘଟଣ । ନୂଆବର୍ଷରେ ହେଲା ଖଣ୍ଡାରେ ଆକ୍ରମଣ । ବଲାଙ୍ଗୀର ତୁଳସୀ ନଗରରେ ଘଟିଛି ଏଭଳି ଗଣ୍ଡଗୋଳ । ନୂଆବର୍ଷକୁ ସ୍ୱାଗତ କରିବାକୁ ଚାଲିଥିଲା ଜିରୋନାଇଟ୍ ସେଲିସବ୍ରେସନ । ସମସ୍ତେ ନାଚଗୀତରେ ମସଗୁଲ୍ ଥିବା ବେଳେ ହୋଇଥିଲା ଅଘଟଣ । ବାଇକରେ ୨ଜଣ ଯୁବକ ଆସି ଆକ୍ରମଣ କରି ଫେରାର ହୋଇଯାଇଥିଲେ । ତେବେ ଆକ୍ରମଣରେ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଜିରୋ ନାଇଟ୍ ସେଲିସବ୍ରେସନ ବେଳେ ଆଉ ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡପାଲ୍ଲୀ ଓଡ଼ିଆରପି କଲୋନୀରେ ।
ଭଡ଼ା ଘରେ କିଛି ଯୁବକ ପାର୍ଟି କରୁଥିବା ବେଳେ ସେଠାରେ ପହଞ୍ଚିଥିଲେ କିଛି ଯୁବକ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ବଚସା ହୋଇଥିଲା । ତେବେ ଏହା ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ଗୁଳିମାଡ଼ ହେବା ସହ ଛୁରାମାଡ଼ ମଧ୍ୟ ହୋଇଥିଲା । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଜଣାପଡିଛି । ତେବେ ଏଥିରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୪ ଜଣ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୪ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।