ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟ ସ୍ତରୀୟ ଅଭିଯାନ ଶୁଭାରମ୍ଭ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହା ସହିତ ଉପସ୍ଥିତ ଜନତାକୁ ସଡ଼କ ସୁରକ୍ଷା ନେଇ ଶପଥ ପାଠ କରାଇବା ସହିତ, ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେତେବେଳେ ଆପଣମାନଙ୍କ ଗହଣରେ ସଡ଼କ ସୁରକ୍ଷା ମାସର ଉଦଘାଟନ କରୁଛି , ମୋର ମନ ବିଭିନ୍ନ ଦୁର୍ଘଟଣା ଜନିତ ଖବରରେ ଆନ୍ଦୋଳିତ ହେଉଛି । ଅକାଳରେ ଅନେକ ଜୀବନ ନଷ୍ଟ ହୋଇଯାଉଥିବାବେଳେ ଆହତମାନଙ୍କ ଦୁଃଖ ଅବର୍ଣ୍ଣନୀୟ । ଅନେକ ଭିନ୍ନକ୍ଷମ ହୋଇ ଜୀବନ ବିତାଉଛନ୍ତି, ଯାହାକି ବାସ୍ତବିକ ଦୁଃଖ ଦାୟକ । ଆମର ସାମାନ୍ୟ ଅସାବଧାନତା ଯୋଗୁଁ ଆମ ପାଇଁ କେତେ କ୍ଷତିକାରକ ହୋଇପାରେ ଆମେ ଜାଣୁ । ଦୁର୍ଘଟଣା ଯୋଗୁଁ ଅନେକ ପରିବାରର ଆର୍ଥିକ ଓ ସାମାଜିକ ପରିସ୍ଥିତି ଦୟନିୟ ହୋଇପଡୁଛି । ତେଣୁ ବର୍ତ୍ତମାନ ସମୟ ଆସିଛି ସମସ୍ତେ ସଚେତନ ହେବା । ନିଜେ ସୁରକ୍ଷିତ ରହିବା ଅନ୍ୟକୁ ସୁରକ୍ଷିତ ରହିବାକୁ ‘ସେଭ୍ ଡ୍ରାଇଭିଂ’ କରିବା । ସୁରକ୍ଷିତଭାବେ ଘରକୁ ଫେରିବା ।
ଆଗକୁ ଆହୁରି ସ୍ଥିତିରେ ସୁଧାର ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ବିଗତ ୧୦ ବର୍ଷରେ ୪୭ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ଯାଇଥିବାବେଳେ ପ୍ରତିଦିନ ହାରାହାରି ୧୫ ଜଣଙ୍କର ପ୍ରାଣ ଯାଉଛି । ଏଥିରେ ଅଧିକାଂଶ ଯୁବକ ରହିଛନ୍ତି । ଯାହାକି ଅତ୍ୟନ୍ତ ପୀଡ଼ାଦାୟକ । ଏହି ଅଭିଯାନର ମୂଳ ମନ୍ତ୍ର ରହିବ ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ (Come Home Safe) । ଘରୁ ବାହାରି ଯାଉଥିବା ପ୍ରତିଟି ଜୀବନ ଯେପରି ସୁରକ୍ଷିତଭାବେ ଘରକୁ ଫେରିଆସିବ ତାହା ଆମର ଲକ୍ଷ୍ୟ ରହିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଯାତ୍ରୀ ଆପ୍’ ଲୋକାର୍ପଣ ହୋଇଛି । ଏହା ଚାଳକଙ୍କ ଆୟ ବୃଦ୍ଧି କରିବା ସହ ସେମାନଙ୍କ କମିଶନ ଆଉ କେହି ନେଇ ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସିଧାସଳଖ ସେମାନଙ୍କ ଆୟର କମିଶନ ସେମାନଙ୍କ ପକେଟକୁ ଯିବ । ଗୋଟିଏ କ୍ଲିକରେ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଟ୍ୟାକ୍ସି ଏବଂ ଅଟୋ ମିଳି ପାରିବ ।
ପରିଶେଷରେ ଗାଡ଼ି ଚଳାଇବାବେଳେ ମୋବାଇଲ ବ୍ୟବହାର ନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ନିଜେ ପାଳନ କରିବା ସହିତ ଅତି କମରେ ୨ ଜଣଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।