ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶର ବିଭିନ୍ନ ସ୍ଥାନରେ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହା ଦ୍ବାରା ରେଳ ସଂଯୋଗୀକରଣ ଆହୁରି ଶକ୍ତିଶାଳୀ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ସଂପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ଆହୁରି ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେ। ସେ ତେଲଙ୍ଗାନାର ଚାର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନର ଉଦଘାଟନ କରିବା ସହ ପୂର୍ବତଟ ରେଳପଥ ଅଧିନସ୍ଥ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ।
ପ୍ରଧାନମନ୍ତ୍ରୀ ମୋଦୀ ପଠାନକୋଟ-ଜମ୍ମୁ-ଉଦମପୁର-ଶ୍ରୀନଗର-ବାରାମୁଲା, ଭୋଗପୁର ସିରୱାଲ-ପଠାନକୋଟ, ବାଟାଲା-ପଠାନକୋଟ ଏବଂ ପଠାନକୋଟରୁ ଯୋଗିନ୍ଦର ନଗର ସେକ୍ସନକୁ ମିଶାଇ ମୋଟ ୭୪୨.୧ କିଲୋମିଟର ବିଶିଷ୍ଟ ଜମ୍ମୁ ରେଳ ଡିଭିଜନ ଗଠନ ଜମ୍ମୁ ଓ କଶ୍ମୀର ଏବଂ ଆଖପାଖ ଅଞ୍ଚଳକୁ ଯଥେଷ୍ଟ ଉପକୃତ କରିବ ଏବଂ ଲୋକଙ୍କ ଦୀର୍ଘ ଦିନର ଆକାଂକ୍ଷା ପୂରଣ କରିବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ଯୋଗାଯୋଗରେ ଯଥେଷ୍ଟ ଉନ୍ନତି ଆଣିବ। ଏହା ଦ୍ୱାରା ଏ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଭିତ୍ତିଭୂମି ବିକାଶ ହେବ, ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ସାମଗ୍ରିକଭାବେ ଏ ଅଂଚଳର ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ।
ତେଲେଙ୍ଗାନାର ମେଦଚାଲ-ମାଲକାଜଗିରି ଜିଲ୍ଲାରେ ଥିବା ଚାର୍ଲାପଲ୍ଲୀ ନ୍ୟୁ ଟର୍ମିନାଲ ଷ୍ଟେସନକୁ ପ୍ରାୟ ୪୧୩ କୋଟି ଟଙ୍କା ବ୍ୟୟରେ ଏକ ନୂତନ କୋଚିଂ ଟର୍ମିନାଲ ଭାବରେ ବିକଶିତ କରାଯାଇଛି ଏବଂ ଏଥିରେ ଦ୍ୱିତୀୟ ପ୍ରବେଶର ବ୍ୟବସ୍ଥା କରାଯାଇଛି। ଉତ୍ତମ ଯାତ୍ରୀ ସୁବିଧା ଥିବା ଏହି ପରିବେଶ ଅନୁକୂଳ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚେଗୁଡା ଭଳି ସହରରେ ଥିବା କୋଚିଂ ଟର୍ମିନାଲରେ ଭିଡ଼ ହ୍ରାସ କରିବ।
ପ୍ରଧାନମନ୍ତ୍ରୀ ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ରେଳଡିଭିଜନ ଭବନର ଶିଳାନ୍ୟାସ କରିବେ। ଏହା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଏହାଫଳରେ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ।
ଅଧିକ ପଢ଼ନ୍ତୁ: ପ୍ରଶାନ୍ତ କିଶୋରଙ୍କ ଉପରେ ପୁଲିସ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ