ମୟୁରଭଞ୍ଜ: ରାଜ୍ୟରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବଣୁଆ ହାତୀଙ୍କ ଆକ୍ରମଣରେ ପୁଣି ଜଣଙ୍କର ପ୍ରାଣହାନୀ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଦାଡଦୁଡ଼ ଗ୍ରାମରେ । ମୃତକ ଜଣକ ହେଲେ ଦାଡ଼ଦୁଡ଼ ଗ୍ରାମର ମଧୁସୂଦନ ପାଣ୍ଡେ । ସେ ଶୌଚ ହେବାକୁ ଯାଇଥିବାବେଳେ ଦନ୍ତା ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି ।
ଆଜି ସକାଳେ ମଧୁସୂଦନ ଶୌଚ ହେବାକୁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ । ଦନ୍ତାହାତି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
ଅନ୍ୟପକ୍ଷରେ ଶ୍ୟାମା ଖୁଣ୍ଟା ବ୍ଲକରେ ସପ୍ତାହ ଧରି ୪୦ ଟିକିଆ ହାତୀପଲ ଉପଦ୍ରବ କରୁଥିବା ବେଳେ ବିଲରେ ଫସଲ ନ ଥିବା ଗାଁ ମୁହାଁ ହେଉଛନ୍ତି । ଗାଁରେ ଘର ଭାଙ୍ଗିବା ସହିତ ପନିପରିବା ଓ କଦଳୀ ବାଡିରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।