ଭୁବନେଶ୍ୱର: ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଫସଲ କ୍ଷୟକ୍ଷତି ଘଟିଛି । ଧାନ ଅମଳ ସମୟରେ ଏମିତି ବର୍ଷା ଚାଷୀଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି । ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା ମଧ୍ୟ କରିଛନ୍ତି । ତେବେ ରବରିବାର ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲା ଗସ୍ତ କରିଛନ୍ତି । ନୟାଗଡ ରଣପୁର ବ୍ଲକ କାଣ୍ଡପଡାରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ଆକଳନ କରିଛନ୍ତି । ନିଜେ ଚାଷୀଙ୍କ ଜମିରେ ପହଞ୍ଚି ଧାନ କେଣ୍ଡା ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୁରମା ପାଢୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଏଥିସହ ଜିଲ୍ଲାପାଳଙ୍କ ସହ ଚାଷୀଙ୍କ ଜମିରେ ହିଁ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନୟାଗଡ଼ ଜିଲ୍ଲାର ରଣପୁର ପରେ ଗଜପତିର ଗୋସାଣୀ ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା/ଛତ୍ରପୁର ବ୍ଲକ ଯାଇ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଟକ ଓ ଜଗତସିଂହପୁର, ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅଦିନିଆ ବର୍ଷା ପାଇଁ ଖରିଫ ଫସଲ ନଷ୍ଟ ହୋଇଛି। ଗତ ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ହୋଇଛି। ୩୦ତାରିଖ ଭିତରେ କ୍ଷୟକ୍ଷତି ସଠିକ ଆକଳନ ସରିବ। ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ବୀମା କମ୍ପାନିଙ୍କୁ ମଧ୍ୟ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି।