ଜୟପୁର: ସେଦିନ ଥିଲା ୨୨ ଏପ୍ରିଲ ୨୦୨୫ । ସମସ୍ତେ ନିଜ ନିଜ ପ୍ରିୟଜନ, ସମ୍ପର୍କୀୟ, ପରିବାର ସହ ବୁଲିଯାଇଥିଲେ ଭାରତର ଭୂସ୍ବର୍ଗ କାଶ୍ମୀର । କିଏ ନୂଆ ବିବାହ କରି କାଶ୍ମୀର ବୁଲିବାକୁ ଯାଇଥିଲା ତ ପୁଣି କିଏ ନିଜ ବିବାହ ବାର୍ଷିକୀ ପାଳିବାକୁ ଯାଇଥିଲା । ଏହି ସମୟରେ ହଠାତ୍ ସବୁଜ ବନାନୀର ପାଇନ ଗଛ ଭିଡରୁ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିମାଡର ଶଦ୍ଦ । ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ସବୁଠୁ ହୃଦୟ ବିଦାରକ କଥା ହେଉଛି କେବଳ ହିନ୍ଦୁ ଧର୍ମର ଲୋକଙ୍କୁ ଖୋଜି ଖୋଜି ମାରୁଥିଲେ ଆତଙ୍କବାଦୀ । ଫଳରେ ଚାଲିଯାଇଥିଲା ଅନେକ ନୀରିହ ଲୋକଙ୍କ ଜୀବନ । ସୁନ୍ଦରୀ କାଶ୍ମୀର ସେଦିନ ପୋଛି ଦେଇଥିଲା ଅନେକ ସୁନ୍ଦରୀ ସ୍ତ୍ରୀଙ୍କ ମଥାର ସିନ୍ଦୂର । ଆଉ କିଛି ସମୟ ଭିତରେ ଭାରତର ଭୂସ୍ୱର୍ଗ ସାଜିଥିବା କାଶ୍ମୀର ସ୍ତବ୍ଧ ହୋଇଯାଇଥିଲା ।
ଠିକ ଏହାର ୧୫ ଦିନ ପରେ ଅର୍ଥାତ ମେ ୬ ତାରିଖ ମଧ୍ୟରାତ୍ରରେ ପହେଲଗାମ ଆକ୍ରମଣ ପ୍ରତିଶୋଧରେ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଯେଉଁଥିରେ ଆତଙ୍କବାଦୀଙ୍କ ୯ ଟି ଆଡ୍ଡା ଉପରେ ଭାରତ ଏୟାର ଷ୍ଟ୍ରାଇକ କରିଥିଲା । ଯାହା ଏବେ ଦିନକୁ ଦିନ ଉଗ୍ର ରୂପ ନେଉଛି । ଏହାରି ଭିତରେ ଏକ ବିରଳ ଭିଡିଓ ସାମ୍ନାକୁ ଆସିଛି । ରାଜସ୍ଥାନ ଯୋଧପୁରରେ ଗତକାଲି ବର କନ୍ୟାଙ୍କ ଭିତରେ ବିବାହ ଚାଲୁଥିବା ବେଳେ ବ୍ଲାକ୍ ଆଉଟ୍ ପାଇଁ ନିର୍ଦ୍ଦେଶ ଆସିଥିଲା । ଦେଶର ସୁରକ୍ଷା ଏବଂ ପାକିସ୍ତାନୀ ସେନାର ଆକ୍ରମଣରୁ ଜନଜୀବନ ରକ୍ଷା ପାଇଁ ବ୍ଲାକ୍ ଆଉଟ୍ ପାଇଁ ପୂର୍ବରୁ ନିର୍ଦ୍ଦେଶ ଥିବାରୁ ବିବାହ ସମୟରେ ହିଁ ବ୍ଲାକ୍ ଆଉଟ୍ କରାଯାଇଥିଲା ।
କିନ୍ତୁ ବିଦ୍ୟୁତ୍ ନଥିବା ସତ୍ତ୍ୱେ ମଧ୍ୟ ବିବାହ ବନ୍ଦ ହୋଇନଥିଲା। ବର ଏବଂ କନ୍ୟା ସମ୍ପୂର୍ଣ୍ଣ ଅନ୍ଧାରରେ ପାରମ୍ପରିକ 'ସାତ ଫେରେ ' (ସାତ ପ୍ରତିଜ୍ଞା) ନେଇଥିଲେ। ଆଉ ଅତିଥିମାନେ ଅଞ୍ଚଳକୁ ଆଲୋକିତ କରିବା ପାଇଁ ମୋବାଇଲ୍ ଟର୍ଚ୍ଚଲାଇଟ୍ ବ୍ୟବହାର କରିଥିଲେ, ଏବଂ ଉଭୟ ଦମ୍ପତି ରୀତିନୀତି ଅନୁସାରେ ବିବାହ ସମାପ୍ତ କରିଥିଲେ।
ତେବେ ସେଦିନ ଆତଙ୍କବାଦୀ ଅନେକଙ୍କ ମଥାର ସିନ୍ଦୂର ପୋଛିଦେଇଥିବା ବେଳେ ବ୍ଲାକଆଉଟ ସମୟରେ ଜଣେ ଯୁବକ ସିନ୍ଦୂରକୁ ସମ୍ମାନ ଦେଇ ଅନ୍ଧାରରେ ତାଙ୍କ ପତ୍ନୀକୁ ସିନ୍ଦୂର ପିନ୍ଧାଇ ଥିବା ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଲୋକମାନେ ଉଭୟ ଦମ୍ପତିଙ୍କୁ ଏବଂ ପ୍ରେମର ତାଙ୍କ ପ୍ରେମର ଶକ୍ତିକୁ ପ୍ରଶଂସା କରିଛନ୍ତି ।