ଭୁବନେଶ୍ୱର: ଆଉ ଦୁନିଆରେ ନାହାନ୍ତି ଓଡିଶାର ବିଶିଷ୍ଟ ସଙ୍ଗୀତକାର ସଂଗ୍ରାମ ମହାନ୍ତି । ମଙ୍ଗଳବାର ସକାଳ ପ୍ରାୟ ସାଢେ ୭ଟାରେ ଭଞ୍ଜପୁର ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଆଜି ବାରୁଣୀଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପତ୍ନୀ ଓ ପରିବାର ବର୍ବ ଥିଲେ । ସଂଗ୍ରାମଙ୍କ ତିନି ଝିଅ ଅଛନ୍ତି । ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ମାହୋଲ ଖେଳି ଯାଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।
ସୂଚନା ଅନୁଯାୟୀ, ସଂଗ୍ରାମ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ । ଏଇ ଝୁମା ଝୁମା ଗୋପାଲି ବେଳାରେ..., କହନା ଏ ଫୁଲ କହନା ପରି ସୁପରହିଟ୍ ଗୀତର ଗୀତିକାର ହେଉଛନ୍ତି ସଂଗ୍ରାମ ମହାନ୍ତି । ୧୯୪୭ ମସିହା ଜାନୁଆରୀ ୨୭ ତାରିଖରେ ବାରିପଦାରେ ତାଙ୍କର ଜନ୍ମ । ଭଞ୍ଜପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଅନୁରାଗ ଥିଲା । ପରେ ସେ ଗୀତ ରଚନାରେ ନିଜକୁ ନିମଗ୍ନ କରିଥିଲେ ।
ସେ ନିଜର କ୍ୟାରିୟରରେ ଆକାଶବାଣୀ, ସିନେମା ଓ ଆଲବମ ପାଇଁ ବହୁ ଗୀତ ରଚନା କରିଛନ୍ତି । ତେବେ ଏଇ ଝୁମା ଝୁମା ଗୋପାଲି ବେଳାରେ..., କହନା ଏ ଫୁଲ କହନା ଏହି ଗୀତ ଲାଗି ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ସଂଗ୍ରାମ ମହାନ୍ତି ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଭାବେ ସଙ୍ଗୀତଜଗତରେ ସୁପରିଚିତ ଥିଲେ ।