ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତି ଏବଂ ଆସନ୍ତା ଅଗଷ୍ଟ ୧୭ ତାରିଖ (ସୋମବାର) ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ କରାଯିବା ସହ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ବାତିଲ:
ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅଗଷ୍ଟ ୧୭ରେ ହେବାକୁ ଥିବା ୟୁଜି (+୩), ବିଏସ୍ସି, ଆଇଟିଏମ୍, କମ୍ପ୍ୟୁଟର ସାଇନ୍ସ ଏବଂ ବିଏଡ୍(ୟୁଡିଟିଇ)ର ୪ର୍ଥ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷାର ନୂତନ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକର ବନ୍ୟା ପ୍ରଭାବିତ ୫ଟି ବ୍ଲକ୍ (ବାସୁଦେବପୁର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି)ର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।
ପ୍ରଶାସନର ହାଇଆଲର୍ଟ:
କେନ୍ଦୁଝର ସମେତ ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜନସାଧାରଣଙ୍କୁ ଅନାବଶ୍ୟକ ଯାତ୍ରାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସରକାରୀ କର୍ମଚାରୀଙ୍କୁ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି।