ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରବିବାର ଏହି ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି, ଆମେ ପ୍ରଥମେ ମୃତ୍ୟୁ ସଂଖ୍ୟା ୨୬୧ କହିଥିଲୁ। ଗତକାଲି ଶେଷ ବଗିଟିକୁ ଉଠାଇବା ପରେ ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା। ତାଙ୍କ ତଥ୍ୟ ଆଧାରରେ ଆମେ ମଧ୍ୟ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଥିଲୁ। କିନ୍ତୁ ଗତକାଲି ରାତି ସାରା ଭଲ ଭାବେ ଯାଞ୍ଚ କଲା ପରେ ଜଣାପଡ଼ିଛି ଯେ ଏହି ଦୁର୍ଘଟଣାରେ ମୋଟ ୨୭୫ ଜଣଙ୍କ ଜୀବନ ଯାଇଛି। ଏନେଇ ଜିଲ୍ଲାପାଳ ଫାଇନାଲ ରିପୋର୍ଟ ଦେଇଛନ୍ତି। କିଛି ମୃତଦେହକୁ ଦୁଇ ଥର ଗଣନା ଯାଇଥିବାରୁ ପ୍ରଥମେ ତ୍ରୁଟି ହୋଇଥିଲା। ଗତକାଲି ଭଲ ଭାବେ ଯାଞ୍ଚ ପରେ ଏହି ତ୍ରୁଟି ସାମ୍ନାକୁ ଆସିଥିଲା।
ତେବେ ୨୭୫ଟି ମୃତଦେହ ମଧ୍ୟରୁ ୮୮ଟିକୁ ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି । ସେହି ୮୮ଟି ମୃତଦେହ ମଧ୍ୟରୁ ୭୮ଟିକୁ ସଂପୃକ୍ତ ପରିବାରଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ୧୮୭ଟି ମୃତଦେହ ଚିହ୍ନଟ ହୋଇପାରିନି। ସେହି ୧୮୭ଟି ମୃତଦେହ ମଧ୍ୟରୁ ୧୭୦ଟିକୁ ଭୁବନେଶ୍ୱର ଅଣାଯାଇଛି। ସେଗୁଡ଼ିକୁ ଏମ୍ସ ଓ ଅନ୍ୟ ହସ୍ପିଟାଲରେ ରଖାଯାଇଛି।