ପୁରୀ: ଆଜି ରଥ ଉପରେ ମହଣ ମହଣ ସୁନାରେ ସଜ୍ଜିତ ହୋଇ ସୁନାବେଶରେ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଜନ୍ମବେଦୀରେ ନଅ ଦିନ ପାଇଁ ରହି ଲୀଳାଖେଳା କରି ରତ୍ନବେଦୀକୁ ବାହୁଡ଼ିଛନ୍ତି ତିନି ଠାକୁର । ଆଜି ରଥାରୂଢ଼ ହୋଇ ସୁନାବେଶରେ ଝଟକିବେ ଶ୍ରୀଜିଉ । ରଥ ଉପରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସାରିବାପରେ ସନ୍ଧ୍ୟା ଆଳତି ସହ ମେକାପ ସର୍ବାଙ୍ଗ ନୀତି କରାଯାଇ ସୁନା ଲାଗି କରାଯିବ । ବର୍ଷକରେ ପ୍ରଥମ ଥର ମହାପ୍ରଭୁ ଭକ୍ତଙ୍କ ଆଗରେ ସୁନାରେ ସଜ୍ଜିତ ହୋଇ ରାଜାବେଶରେ ଦର୍ଶନ ଦେବେ ।
ନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଓ ତଡ଼ଗି ଆଦି ଅଳଙ୍କାର ତିନି ଠାକୁର ପିନ୍ଧିବେ । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି । ମହାପ୍ରଭୁଙ୍କୁ ସୁନାବେଶରେ ଦେଖିବା ପାଇଁ କାହିଁ କେଉଁ ଆଡୁ ଭକ୍ତମାନେ ଆସିଥାନ୍ତି । ସୁନାବେଶ ପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଅତ୍ୟନ୍ତ ମନଲୋଭା ଦେଖାଯାଇଥାଏ । ଥରେ ଦେଖିଲେ ସେମିତି ଦେଖି ରହିବା ପାଇଁ ମନ କାହୁଥାଏ ।
ଆଜି ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ। ଏହା ପରେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।