ଭୁବନେଶ୍ୱର : ଆଜି ଭାଦ୍ରବ କୃଷ୍ଣପକ୍ଷ ତିଥି ବା ରେଖା ପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ । ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ ମାନେ ଗୋଷ୍ଠିଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ ଶ୍ରୀବିଗ୍ରହଙ୍କ ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ । ଏହି ନୀତି ସମୟରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ । ମହାପ୍ରଭୁଙ୍କ ଏହି ଗୁପ୍ତନୀତି ପାଇଁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଠାକୁରମାନଙ୍କ ର ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ବିଗ୍ରହ ମାନଙ୍କର ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା କୁହାଯାଏ । ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥାନ୍ତି । ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖାକୁ ମାଜି ସଫା କରିଥାନ୍ତି ।
ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଦଇତାପତି ସେବକ ମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ରାହୁ ରେଖା ଲାଗି କରିଥାନ୍ତି । ଶ୍ରୀବିଗ୍ରହଙ୍କ ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ହେବ । ଏଥିପାଇଁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।