ଭୁବନେଶ୍ୱର: ବିଜୁ ଜନତା ଦଳ ଓ କଂଗ୍ରେସ କିଏ ମୁଖ୍ୟ ବିରୋଧୀ ଦଳରେ ରହିବ ସେ ନେଇ କମ୍ପିଟେସନ୍ କରୁଛନ୍ତି । ଗୋଟିଏ ସମୟରେ କଂଗ୍ରେସ ଓ ବିଜେଡି ରାଜ୍ୟରେ ୨୦ଟି ଲେଖାଏଁ ଆସନ ଜିତିଥିଲେ । ରାଜ୍ୟବାସୀଙ୍କ ବିଶ୍ୱାସ ବିଜେପି ଜିତିଛି । ଉଭୟ ଦଳ ନ୍ୟାୟିକ ପ୍ରକ୍ରିୟାକୁ ଯାଆନ୍ତୁ । ଏବେ ମିଛ ଅଭିଯୋଗ ଆଣି ଓଡ଼ିଆ ଭୋଟରଙ୍କୁ ଅପମାନିତ ନ କରନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ ।
ବିରଞ୍ଚି ତ୍ରିପାଠୀ ବିଜେଡ଼ିର ଅବସ୍ଥାକୁ ବିଲୁପ୍ତ ପ୍ରାଣୀ ଡାଇନୋସର୍ ସହିତ ତୁଳନା କରିଛନ୍ତି । ଡାଇନୋର ବିଲୁପ୍ତ ହେବାର ମୁଖ୍ୟ କାରଣ ହେଲା ଚେତନାର ଅଭାବ ଥିଲା । ଡାଇନୋସରକୁ ଆଘାତ ହେଲେ ତାର ମସ୍ତିସ୍କକୁ ୬ ଘଣ୍ଟା ପରେ ସୂଚନା ମିଳିଥାଏ । ଯେଉଁଥିପାଇଁ ଏହି ଜୀବ ଦୁନିଆରୁ ବିଲୁପ୍ତ ହୋଇଗଲା । ଆଉ ଆଜି ବିଜେଡ଼ିର ଅବସ୍ଥା ଠିକ୍ ସେହିପରି । ଜୁନ୍ ମାସରେ ନିର୍ବାଚନ ସରିଲା କିନ୍ତୁ ନିର୍ବାଚନ କମିଶନରଙ୍କ ନିକଟକୁ ଯିବାକୁ ତାଙ୍କୁ ସାଢ଼େ ୬ ମାସ ସମୟ ଲାଗିଲା । ତାପରେ ନିର୍ବାଚନ କମିଶନର କଣ କହିଲେ ତାକୁ ଲୋକଙ୍କୁ କହିବାକୁ ଆଉ ସାଢ଼େ ୮ ମାସ ସମୟ ଲାଗିଲା । ଡାଇନୋସରେ ଯେଉଁ କାରଣରୁ ସମାପ୍ତ ହେଲା ବିଜେଡ଼ି ସେହି ରାସ୍ତାରେ ଚାଲିଛି ।
ନିର୍ବାଚନ ଶେଷ ହେବା ପରେ ତାଙ୍କର କାମ ଚଳା ସରକାର ଥିଲା । ନିର୍ବାଚନ ସରିବାର ୧୪ ମାସ ପରେ ୧୭ (ସି) ଫର୍ମ ମାଗୁଛନ୍ତି । ଏହି ଫର୍ମ ନିର୍ବାଚନ ସରିବା ପରେ ଏବଂ ଭୋଟ ବାକ୍ସ ସିଲ୍ ହେବା ପରେ ବିଭିନ୍ନ ଦଳର ଏଜେଣ୍ଟକୁ ତୁରନ୍ତ ଦିଆଯାଏ । ୩୭ ହଜାର ବୁଥରେ କଣ ବିଜେଡ଼ିର ଏଜେଣ୍ଟ ନ ଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ବିରଞ୍ଚି । ଅଭିଯୋଗର ନ୍ୟାୟିକ ବ୍ୟବସ୍ଥା ରହିଛି । ତେଣୁ ଯଦି ତାଙ୍କ ପାଖରେ ଠୋସ୍ ପ୍ରମାଣ କିମ୍ବା ତଥ୍ୟ ଅଛି ତେବେ କୋର୍ଟକୁ ଯାଆନ୍ତୁ ବୋଲି ପରାମର୍ଶ ଦେଇଛି ବିଜେପି ।
କଂଗ୍ରେସକୁ ପ୍ରମାଣ ଦେବାକୁ ନିର୍ବାଚନ କମିଶନର କହିଥିଲେ । କିନ୍ତୁ କଂଗ୍ରେସ ଦେଉ ନାହିଁ । ବିଜେଡ଼ି ଓ କଂଗ୍ରେସ କିଏ ମୁଖ୍ୟ ବିରୋଧୀ ଦଳରେ ରହିବ ସେ ନେଇ ପ୍ରତିଯୋଗିତା କରୁଛନ୍ତି । ଉଭୟ ଦଳ ନ୍ୟାୟିକ ପ୍ରକ୍ରିୟାକୁ ଯାଆନ୍ତୁ । ବିଜେପି ଓଡ଼ିଶାବାସୀଙ୍କ ବିଶ୍ୱାସକୁ ଜିତିଛି । ଓଡ଼ିଶା ଭୋଟରଙ୍କୁ ଯେଉଁଭଳି ଅପମାନିତ କରୁଛନ୍ତି, ସେଥିରୁ ଖ୍ୟାନ୍ତ ରହିବା ଆବଶ୍ୟକ । ଏବେ ମିଛ ଅଭିଯୋଗ ଆଣି ଓଡ଼ିଆ ଭୋଟରଙ୍କୁ ଅପମାନିତ ନ କରନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ ।