ଭୁବନେଶ୍ୱର: ରାଜ୍ୟରେ ଏବେ ଗୋଟେ ପରେ ଗୋଟେ ଆତ୍ମାହୁତି ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ମାମଲାର ତଦନ୍ତ ନ ସରୁନି ଆଉ ଗୋଟିଏ ଘଟଣା ଘଟିବାରେ ଲାଗିଛି । ଗତ ୨ ଦିନରେ ୩ଟି ଘଟଣା ଆସିଲାନି । ମାସକ ଭିତରେ ୬ଟି ଆତ୍ମାହୁତି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି ।
ଗତକାଲି ବରଗଡ଼ ନାବାଳିକା ଆତ୍ମାହୁତି ଘଟଣା ପରେ ଆଜି ଢେଙ୍କାନାଳ ଓ ଭୁବନେଶ୍ୱରରୁ ବି ଆସିଛି ଆତ୍ମାହୁତି ମାମଲା । ରାଜଧାନୀ ଭୁବନେଶ୍ୱରେ ଆତ୍ମାହୃତି ଉଦ୍ୟମ କରିଛନ୍ତି ଜଣେ ଯୁବକ । ଖଣ୍ଡଗିରି ଅଞ୍ଚଳରୁ ଆସିଛି ଏହି ମାମଲା । ଏକ ଘରୋଇ କଲେଜ ପରିସରରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ ସମ୍ପୂକ୍ତ ଯୁବକ ଜଣକ ଏକ ଘରୋଇ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।
ପାରିବାରିକ ବିବାଦରୁ ଯୁବକ ଜଣକ ଏଭଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯୁବକଙ୍କ ଶରୀରର ୧୫ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଚିକିତ୍ସା କରାଯାଉଛି । ଯୁବକଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଯାଜପୁର ଜିଲ୍ଲା ବିଞ୍ଝାରପୁରର ବୋଲି ଜଣାପଡ଼ିଛି । ତେବେ ଭାଇ ଭଉଣୀଙ୍କ ସହ ବିବାଦ ପରେ ଯୁବକ ଏଭଳି କରିଥିବା ଅଭିଯୋଗ ହୋଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।