ଭୁବନେଶ୍ୱର: ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ । ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ ମାନେ ଗୋଷ୍ଠିଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ । ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ ।
ତେବେ ସ୍ନାନ ପୂର୍ଣ୍ଣୀମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପୀଡିତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆଯାଇଥିଲା । ତେବେ ପୁନର୍ବାର ଆଜି ଦେଉଳକରଣ, ତଢଉ କରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁରେଖାକୁ କଢାଯିବ । ଏ ସମସ୍ତଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନୋଟି ସଫା କରାଯାଏ । ଭୋଗମଣ୍ଡପ ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିବେ । ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କର ଝୋବାକଣ୍ଠି ଅଳଙ୍କାର ମଇଲମ କରିବେ ଓ ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଖଟ ଶେଯ ଘରେ ବିଜେ କରାଇବେ । ଅଣସର ସୁଧସୁଆର ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିବେ । ପରେ ପରେ ଦଇତାପତିମାନେ ଆସି ଗୋଡ଼ହାତ ଧୋଇ ସିଂହାସନ ଉପରକୁ ଉଠିବେ ।
ପାଳିଆ ମେକାପ ବାଡ଼ ବାଡ଼ କରି ରାହୁରେଖା ପତି ମହାପାତ୍ରଙ୍କୁ ଦେଲେ ସେ ସଂସ୍କାର କରି ବାଡ଼ଗ୍ରାହୀ ଦଇତାଙ୍କୁ ଦେବେ । ତାପରେ ସମସ୍ତ ଦଇତା ମିଶି ଓଷୁଅ ଓ ବଇତମରେ ରୁନ୍ଧା କାର୍ଯ୍ୟ କରି ସାରି ସିଂହାସନରୁ ଓହ୍ଲାଇ ଆସନ୍ତି । ସିଂହାସନ ପୋଛା ସରି ମହାସ୍ନାନ ପୂଜା ପାଠ ହେଲେ ପୂଜାପଣ୍ଡା ଆସି ପୂଜା ବଢାନ୍ତି । ତାପରେ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢେ । ମଧ୍ୟାହ୍ନ ଧୂପ ପରେ ପଡ଼ିବା ଉତ୍ତାରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ପାଳିତ ହୁଏ । ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ନବଗ୍ରହ ତତ୍ତ୍ୱ ସନ୍ନିହିତ ହୋଇଛି । କୁହାଯାଏ ଶ୍ରୀଜିଉଙ୍କ ଚକ୍ଷୁ ଦ୍ବୟ ସୂର୍ଯ୍ୟ,ଚନ୍ଦ୍ରଙ୍କର ପ୍ରତୀକ । ନାସିକା-ମଙ୍ଗଳ,ଧନୁ ଆକୃତି ଅଧର-ବୁଧ, ଚତୁଷ୍କୋଣାକୃତି ଶ୍ରୀମୁଖ-ଶୁକ୍ର ,ସୁବର୍ଣ୍ଣ ଚିତା-ବୃହସ୍ପତି, କୃଷ୍ଣ ବର୍ଣ୍ଣ-ଶନି,ଝୋବା କଣ୍ଠି-କେତୁ, ରାହୁରେଖା ରାହୁଙ୍କର ପ୍ରତୀକ ।