ପୁରୀ: ଆଜି ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ତିନି ଠାକୁର । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂରତି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ ପ୍ରବେଶ କରିଛନ୍ତି । ଏବେ ଜନ୍ମବେଦୀରେ ଲୀଳାଖେଳା କରିବେ ମହାପ୍ରଭୁ ।
ଶନିବାର ସନ୍ଧ୍ୟା ସାତଟା ବେଳକୁ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା । ପାଖାପାଖି ସାଢ଼େ ଚାରି ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଡ଼ପ ପହଣ୍ଡି ଚାଲିଥିଲା । ପ୍ରଥମେ ବଡ଼ ଠାକୁର ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ଏହା ପରେ ପହଣ୍ଡି ହୋଇ ଜନ୍ମବେଦୀରେ ବିରାଜମାନ କରିଥିଲେ ଦେବୀ ସୁଭଦ୍ରାର । ଏହା ପରେ ଟାହିଆ ହଲାଇ ହଲାଇ ରଥରୁ ଓହ୍ଲାଇଥିଲେ ଜଗତର ନାଥ ଜଗନ୍ନାଥ । ଯେଉଁ କାଳିଆକୁ ବିନା ଟାହିଆରେ ଦେଖି ଭକ୍ତ ନିରାଶ ହୋଇଥିଲେ ସେହି କାଳିଆର ମସ୍ତକରେ ପୁଣି ଥରେ ଟାହିଆକୁ ଦେଖି ବିଭୋର ହୋଇଯାଇଥିଲେ ଭକ୍ତ । ସମଗ୍ର ଶରଧାବାଲି ଉଚ୍ଛୁଳି ପଡ଼ିଥିଲା । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ । ଆଡ଼ପ ପହଣ୍ଡି ଦେଖିବାକୁ ଶରଧାବାଲିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ।
ଆସନ୍ତାକାଲିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏହା ସହିତ ଆସନ୍ତାକାଲିଠାରୁ ଆଡ଼ପ ଅବଢ଼ା ମଧ୍ୟ ମିଳିବ ।