ଭୁବନେଶ୍ୱର: ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଜାରି ରହିଥିବା ବେଳେ ଆଜି ରବିବାର ଓଡ଼ିଶାର ସାତଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାର କିଛି କିଛି ସ୍ଥାନରେ ବିକ୍ଷିପ୍ତ ଭାବେ ଭାରି ବର୍ଷା ହୋଇପାରେ। ତେବେ ଏହି ସମୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।
ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖରେ ମଧ୍ୟ ଉତ୍ତର ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ଭାରି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହାକୁ ଛାଡ଼ିଦେଲେ ଅନ୍ୟ କୌଣସି ଅଞ୍ଚଳରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଦେଖାଯାଇପାରେ। ଏହାପରେ ୨୧ ଏବଂ ୨୨ ତାରିଖ ଆଡ଼କୁ ବର୍ଷାର ପରିମାଣ କମିବ ଏବଂ କେବଳ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ।
ଅପରପକ୍ଷରେ, ବିଗତ ଦିନରେ ହୋଇଥିବା ଲଗାତାର ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ଏବେ ସତର୍କ ସଙ୍କେତ ନିକଟରେ ପହଞ୍ଚିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୯୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଗତସିଂହପୁରରେ ୬୯ ମିମି, ନବରଙ୍ଗପୁରରେ ୫୩ ମିମି ଏବଂ କୋରାପୁଟରେ ୪୯.୬ ମିମି ବର୍ଷା ହୋଇଯାଇଛି।
Also Read: ଜନ୍ମବେଦିରେ ବିଶ୍ବନିୟନ୍ତାଙ୍କ ଦର୍ଶନ ପାଇଁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ଭିଡ଼; ଆଜିଠାରୁ ଭକ୍ତ ପାଇବେ ଆଡ଼ପ ଅବଢ଼ା