ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଜି ପବିତ୍ର ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ସ୍ପେଶାଲ୍ ‘ବନକଲାଗି’ (ଶ୍ରୀବିଗ୍ରହମାନଙ୍କ ମୁଖଶୃଙ୍ଗାର) ନୀତି ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ପାଇଁ ଆଜି ରାତିରେ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ରାତି ୯ଟାରୁ ବିଳମ୍ବିତ ରାତି ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ।
ଘୋଷଯାତ୍ରାର ନୀତିକାନ୍ତି ଓ ଜନ୍ମବେଦି ଦର୍ଶନ
ଶୁକ୍ରବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ମଙ୍ଗଳ ଆଳତି, ମଇଲମ, ମହାସ୍ନାନ, ସର୍ବାଙ୍ଗ, ମଧ୍ୟାହ୍ନଧୂପ ଓ ସନ୍ଧ୍ୟାଧୂପ ଆଦି ସମସ୍ତ ଦୈନିନ୍ଦିନ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏହାପରେ ଘୋଡ଼ା ଫିଟା ଏବଂ ଚାରବନ୍ଧା ଅନୁଷ୍ଠିତ ହୋଇ ଗୋଟି ପହଣ୍ଡି ମାଧ୍ୟମରେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପକୁ ବିଜେ କରାଯାଇଥିଲା।
ଶାସ୍ତ୍ର ଅନୁଯାୟୀ, ଆଡ଼ପ ମଣ୍ଡପ ବା ଜନ୍ମବେଦି ହେଉଛି ମହାପ୍ରଭୁଙ୍କ ସବୁଠାରୁ ପ୍ରୀତିପଦ ସ୍ଥାନ। ଏଠାରେ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି।
ଭକ୍ତଙ୍କ ଲମ୍ବା ଧାଡ଼ି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆଜି ରବିବାର ସକାଳୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି। ଶ୍ରଦ୍ଧାଳୁମାନେ ଧାଡ଼ିରେ ରହି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି। ବନକଲାଗି ନୀତି ପୂର୍ବରୁ ଏବଂ ପରେ ଯେପରି ସମସ୍ତ ଭକ୍ତ ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି।