ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଆଜି ଏକ ଅପୂର୍ବ ଆତ୍ମୀୟତା ଏବଂ ଭାବବିନିମୟର ସାକ୍ଷୀ ହୋଇଛି। କେନ୍ଦୁଝରର ସାମାଜିକ ଅନୁଷ୍ଠାନ ‘ସେବା ଫାଉଣ୍ଡେସନ୍’ର ପ୍ରାୟ ୫୦ ଜଣ ଶାରୀରିକ ଦିବ୍ୟାଙ୍ଗ ଏବଂ ବାକ୍ ଓ ଶ୍ରବଣ ବାଧିତ ବାଳିକା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସ୍ନେହପୂର୍ଣ୍ଣ ବ୍ୟବହାର ଏହି ସ୍ୱତନ୍ତ୍ର ପ୍ରତିଭାମାନଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କରିଛି।
ଏହି ସାକ୍ଷାତକାର ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ବିଭିନ୍ନ ସମସ୍ୟା, ଦକ୍ଷତା ବିକାଶ ଏବଂ ଆତ୍ମନିର୍ଭରଶୀଳତାକୁ ନେଇ ଆଲୋଚନା କରିଥିଲେ। ଫାଉଣ୍ଡେସନ୍ ପକ୍ଷରୁ ବାଳିକାମାନଙ୍କୁ ସିଲାଇ ଓ ହସ୍ତଶିଳ୍ପର ତାଲିମ ଦିଆଯାଉଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ଆଗାମୀ ବୟନ ଶିଳ୍ପଗୁଡ଼ିକ ସହ ଏହି ପ୍ରଶିକ୍ଷିତ ବାଳିକାମାନଙ୍କୁ ଯୋଡ଼ାଯିବ, ଯାହାଦ୍ୱାରା ସେମାନେ ସ୍ଥାୟୀ ରୋଜଗାର ପାଇ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇପାରିବେ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଓ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ। ବର୍ତ୍ତମାନ ସମୟରେ ସଫଳତା ପାଇଁ 'ଦକ୍ଷତା'ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ସାରା ରାଜ୍ୟରେ ଥିବା ଦିବ୍ୟାଙ୍ଗ ପିଲାଙ୍କୁ ସରକାରଙ୍କ ତରଫରୁ ବାସଗୃହ, ଗ୍ୟାସ ସଂଯୋଗ, ଶୌଚାଳୟ, ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ତୁରନ୍ତ ସହାୟତା ଓ ପୁରୀ ଗସ୍ତ ବ୍ୟବସ୍ଥା
ପିଲାମାନଙ୍କ ଆବଶ୍ୟକତାକୁ ଦେଖି କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଣ୍ଠି ଏବଂ ସରକାରୀ ଯୋଜନା ମାଧ୍ୟମରେ ତୁରନ୍ତ ଆଧୁନିକ ଶ୍ରବଣ ଯନ୍ତ୍ର ଓ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନ ବୁଲିବା ସହ ଏହି ସ୍ୱତନ୍ତ୍ର ଅତିଥିମାନେ ଯେପରି ସୁରକ୍ଷିତ ଭାବେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।