ଭୁବନେଶ୍ବର: ଚତୁର୍ଦ୍ଧା ବିଗ୍ରହ ଜନ୍ମବେଦିରେ ବିରାଜମାନ କରିଛନ୍ତି। ନିଜର ଅତି ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କର ମଧ୍ୟରେ ଉତ୍ସାହ ଦେଖାଯାଇଛି। ଭକ୍ତମାନେ ଆଜି ଅପରାହ୍ଣରେ ଆଡ଼ପ ଅବଢ଼ା ପାଇବେ ବୋଲି ଅପେକ୍ଷା କରିଛନ୍ତି। ଶରଧାବାଲିରେ ଲୋକାରଣ୍ୟ ଦେଖାଯାଇଛି। କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭକ୍ତମାନେ ଲାଇନରେ ରହି ଗୁଣ୍ଡିଚାମନ୍ଦିରକୁ ପ୍ରବେଶ କରିବେ।
ଆଡ଼ପମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଏଠାରେ ଜଗନ୍ନାଥଙ୍କର ଅବସ୍ଥିତିକୁ ମହାବେଦି ଯୋଗ କୁହାଯାଏ। ମହାବେଦି ମହାପ୍ରଭୁଙ୍କର ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ତେଣୁ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଏଥିସହ ଶ୍ରୀମନ୍ଦିରରେ ରବିବାରଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ାର ଯୋଗ ଜୁଟିବ।
ମହାପ୍ରଭୁଙ୍କ ରବିବାର ଦର୍ଶନ ଓ ପୂଜା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସଂପନ୍ନ କରାଯାଇଥିଲା। ଅବକାଶ ପୂଜା ଶେଷ ପରେ ସାଢ଼େ ୭ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଯାଇଛି। ଏହା ୮ଟା ପର୍ଯ୍ୟନ୍ତ ଜାରି ରହିବ। ସକାଳ ୯ଟାରେ ରୋଷହୋମ ସହ ଅନ୍ୟାନ୍ୟ ନୀତି ବଢ଼ିବ। ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ପୂର୍ବାହ୍ଣ ସାଢ଼େ ୧୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସକାଳଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ପ୍ରଥମ ଭୋଗମଣ୍ଡପ, ଅପରାହ୍ଣ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସନ୍ଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ପରେ ରାତି ସାଢ଼େ ୧ଟାରେ ରାତ୍ର ପହୁଡ଼ ହେବ। ଜୁଲାଇ ୨୦ରେ ହେରାପଞ୍ଚମୀ ନୀତି, ୨୧ରେ ରଥ ଦକ୍ଷିଣମୋଡ଼, ୨୩ରେ ସନ୍ଧ୍ୟା ଦର୍ଶନ, ୨୪ରେ ବାହୁଡ଼ାଯାତ୍ରା, ୨୫ରେ ସୁନାବେଶ, ୨୬ରେ ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୨୭ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ: ଆଡ଼ପ ମଣ୍ଡପେ ତିନି ଠାକୁର