ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁକୁର ଗଣନା ଆରମ୍ଭ ହୋଇଛି । ଭୋର୍ ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଚାଲିଥିଲା ଗଣନା କାର୍ଯ୍ୟ । ୬୭ଟି ୱାର୍ଡରେ କୁକୁର ଗଣନା ଆରମ୍ଭ ହୋଇଥିବାବେଳେ ୪୧୦ ଜଣ ନିୟୋଜିତ ଅଛନ୍ତି । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବା ସହ ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇ ୨୧ ପର୍ଯ୍ୟନ୍ତ ଚାଲିବ, ୨ୟ ପର୍ଯ୍ୟାୟରେ ଗଣନା ଆସନ୍ତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
୪୧୦ଟି ଟିମ୍ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁକୁର ଗଣନା ମାଧ୍ୟମରେ ବୁଲା କୁକୁରଙ୍କ ସଂଖ୍ୟା ଜାଣିବା ସହିତ ସେମାନଙ୍କର ଭ୍ୟାକସିନେସନ ହୋଇଛି କି ନାହିଁ ତାହା ଜଣାପଡିବ । ବୁଲା କୁକୁରମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା ସହ ବୁଲା କୁକୁର ମଣିଷକୁ ଯେଉଁଭଳି ଆକ୍ରମଣ କରୁଛନ୍ତି ତାହା ମଧ୍ୟ ହ୍ରାସ ହୋଇପାରିବ ।