ଭୁୁବନେଶ୍ୱର: ବିଧାନସଭାରେ ଜାରି ଅଚଳାବସ୍ଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଓ ବିରୋଧୀ ଦଳ ବିଜେଡି । ଆଉ ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ଆଜି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଏବେ ବି ବିଜେଡିରେ ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ।
ଆଜି ଗୃହରେ ବିରୋଧୀ ଦଳ ବିଜେଡି ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ ଏବଂ ସରକାର ମଧ୍ୟ ଆଲୋଚନା ପାଇଁ ରାଜି ହୋଇଥିଲେ । ଜୟ ନାରାୟଣ କହିଛନ୍ତି ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ କହିଲେ ପାଣ୍ଡିଆନ କହିଲେ ବୋଲି ଆମେ ଏପରି କଲୁ । ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ । ଦରି ବୁହା, ଟେଣ୍ଟ ବୁହାମାନେ ଏଠିକି ଆସି ବଡ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବ ଆଉ ଗୃହକୁ ବନ୍ଦ କରି ଦିଆଯିବ । ଏଥିପାଇଁ ବିଜେଡି ସଦସ୍ୟ କ୍ଷମା ମାଗିବା ଦରକାର ।
ସେପଟେ ଜୟନାରାୟଣଙ୍କ ଏମିତି ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବରିଷ୍ଠ ସଦସ୍ୟ ଗୃହରେ ମନଗଢା କାହାଣୀ କହୁଛନ୍ତି । ଗୃହରେ ସଦସ୍ୟ ନ ଥିବା ଲୋକଙ୍କ ନାମକୁ ଗୃହ ବିବରଣୀରୁ ବାଦ୍ ଦିଆଯାଉ । କେଉଁ ବିଧାୟକ ତାଙ୍କୁ ଲବିରେ କହୁଥିଲେ ସ୍ପଷ୍ଟ କରନ୍ତୁ ଜୟନାରାୟଣ ।