କେନ୍ଦ୍ରାପଡ଼ା: ବିଫଳ ପ୍ରେମିକର ଉନ୍ମତ କାଣ୍ଡ । ଝିଅ ପ୍ରେମ ନିବେଦନରେ ରାଜି ନ ହେବାରୁ ମାଆ ବେକରେ ଲଗାଇଦେଲା କଟୁରୀ । ସେ ପୁଣି କଲେଜ ସାମ୍ନାରେ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ କଲେଜ ପରିସରରେ ଘଟିଛି ଏଭଳି ଘଟଣା । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । ସେ ହେଲେ କେନ୍ଦ୍ରାପଡ଼ା ସଦର ଥାନା ମୀରପାଟଣା ଅଞ୍ଚଳର ଋତ୍ୱିକରଞ୍ଜନ ଜେନା । ସେ ସେହି କଲେଜର ଯୁକ୍ତ ତିନି ରାଜନୀତି ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ର ଛାତ୍ର ଅଟେ । ତାକୁ ପୋଲିସ କୋର୍ଟ ଚାଲାଣ କରିଛି ।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଛାତ୍ର ଜଣକ ସପ୍ତାହେ ହେବ ଛାତ୍ରୀଙ୍କୁ ଏକତରଫା ପ୍ରେମ ନିବେଦନ କରିଆସୁଥିଲା । ଛାତ୍ରୀ ଜଣକ ଏଥିରେ ରାଜି ନ ହେବାରୁ ସେ ତାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଛାତ୍ରୀ ଜଣକ ତିନି ଦିନ ହେଲା କଲେଜ ମଧ୍ୟ ଆସୁ ନ ଥିଲେ। ଗତକାଲି ସେ ନିଜ ମାଆଙ୍କୁ ନେଇ କଲେଜ ଆସିଥିଲେ । ଛାତ୍ର ଜଣକ ଉଭୟଙ୍କୁ କଲେଜ ସାମ୍ନାରେ ଦେଖି ପୁଣି ଥରେ ତାଙ୍କ ମାଆଙ୍କ ସାମ୍ନାରେ ଛାତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏଥିରେ ସେ ଅରାଜି ହେବାରୁ ଛାତ୍ରୀଙ୍କ ମାଆଙ୍କୁ ମାରିଥିଲା । ଏହା ସହିତ ଏକ କଟୁରୀ ଧରି ଆତଙ୍କ ଖେଳାଇଥିଲା । ଛାତ୍ରୀଙ୍କ ମାଆଙ୍କ ବେକରେ ମଧ୍ୟ କଟୁରୀ ଲଗାଇ ଦେଇଥିଲା ।
ଏହା ପରେ ସ୍ଥାନୀୟ ଲୋକେ ଉକ୍ତ ଛାତ୍ରକୁ କାବୁ କରିଥିଲେ । କଲେଜ କର୍ତ୍ତୃପକ୍ଷ ଏ ନେଇ ଡେରାବିଶ ଥାନାକୁ ଖବର ଦେଇଥିଲେ । ପୋଲିସ କଲେଜରେ ପହଁଚି ଉକ୍ତ ଛାତ୍ରକୁ ଗିରଫ କରିଛି । ଏହା ସହିତ ମାଆ ଏବଂ ଝିଅଙ୍କ ବୟାନ ରେକର୍ଡ କରିଛି । ଅଭିଯୁକ୍ତ ଛାତ୍ରକୁ କୋର୍ଟ ଚାଲାଣ କରାଯାଇଛି ।