ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଆଧ୍ୟାତ୍ମିକ ସହର କାଶୀରୁ ହଟିବ ଆମିଷ ଦୋକାନ । ସହର ଭିତରେ ଥିବା ସମସ୍ତ ଆମିଷ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ କାଶୀ ମହାନଗର ନିଗମର ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି ।
ଆଉ ଦୁଇଟା ମାସ ପରେ ଆସିବ ଶ୍ରାବଣ ମାସ । ଏଥିପାଇଁ କାଶୀ ସହରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କାଶୀ ମହାନଗର ମେୟର ଅଶୋକ କୁମାର ତ୍ୱିୱାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ସହର ସାମଗ୍ରିକ ବିକାଶ, ଅତିକ୍ରମଣ, ସ୍ୱଚ୍ଛତା ଏବଂ ଜନହିତ ସହିତ ଜଡ଼ିତ ଅନେକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ସହର ଭିତରେ ଆମିଷ ଦୋକାନକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଅନେକ ଅସନ୍ତୋଷ ପ୍ରକାଶ ପାଉଛି । ଏହି ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ତେଣୁ ସହର ଭିତରୁ ମାଛ ଏବଂ ମାଂସ ଦୋକାନ ହଟାଇବାକୁ ନିଷ୍ପତ୍ତି ହୋଇଥିଲା ।
କାଶୀ ମହାନଗର ନିଗମ କମିଶନର ହିମାଂଶୁ ନାଗପାଳ ସୂଚନା ଅନୁସାରେ ସହର ବାହାରେ ପାଞ୍ଚଟି ସ୍ଥାନରେ ଆମିଷ ଦୋକାନ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ରାମନଗର, ସୁଜାବାଦ, ଗଣେଶପୁର, ଅବଲେପୁର ଏବଂ ଶିବପୁର ସାମିଲ ରହିଛି । ଏହି ସ୍ଥାନ ଗୁଡ଼ିକ ସହର ଉପକଣ୍ଠରେ ଥିବାରୁ ଗ୍ରାହଣକୁ କିଣିବାରେ କୌଣସି ଅସୁବିଧା ହେବ ନାହିଁ ।
ପୂର୍ବରୁ ମଧ୍ୟ ଏହି ପ୍ରସ୍ତାବ ଆସିଥିଲେ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିନଥିଲା । ଶ୍ରାବଣ ମାସରେ ଆମିଷ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉଛି । ସହରକୁ ଦେଶ ଏବଂ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଆସୁଛନ୍ତି । ସହରରେ ସ୍ୱଚ୍ଛତା ବଜାୟ ରଖିବାକୁ ଆମିଷ ଦୋକାନ ବନ୍ଦ ରଖାଯାଉଛି । କିନ୍ତୁ ଏହ ଦ୍ୱାରା ସମସ୍ତ ବ୍ୟବସାୟୀ ଅନେକ କ୍ଷତି ସହୁଛନ୍ତି । ସେଥିପାଇଁ କେଏମସି ଆମିଷ ଦୋକାନ ସ୍ଥାନାନ୍ତର ପାଇଁ ଏହି ନିଷ୍ପତ୍ତି ନେଇଛି ।