ପାରାଦୀପ: ପାରଦୀପ ସହରର ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବାକୁ ଏକାଠି ହୋଇଛନ୍ତି ସମସ୍ତ ରାଜନୈତିକ ଦଳ । ସହରରେ ଘଟୁଥିବା ବିଭିନ୍ନ ହିଂସାକାଣ୍ଡ ବିରୁଦ୍ଧରେ ଦଳ ମତ ନିର୍ବିଶେଷରେ ସବୁ ଦଳ ଏକାଠି ହୋଇ ଆଗକୁ ଆସିଛନ୍ତି । ନିକଟରେ ହୋଇଥିବା ଏକ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି ବିଜେପି, କଂଗ୍ରେସ, ବିଜେଡି, କମ୍ୟୁନିଷ୍ଟ ସହିତ ଏକାଧିକ ସଂଗଠନ ପାରାଦୀପ ଅତିରିକ୍ତ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି l
କିଛିଦିନ ତଳେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରେ ବୋମାମାଡ଼ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ଏସପିଙ୍କ ସାମ୍ବାଦିକ ସମ୍ମିଳନୀରେରେ କିଛି ଗଡ଼ବଡ଼ ରହିଥିବା ନେଇ ଅଭିଯୋଗ ଆଣିଛନ୍ତି ସମସ୍ତ ଦଳ । ଆଜି ସବୁ ଦଳର କର୍ମକର୍ତ୍ତା ଶୋଭାଯାତ୍ରା କରି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ଜ୍ୟୋତିକାନ୍ତ ପରିଡା (ବାପୁ)ଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଦାବି କରାଯାଇଛି । ଏହା ସହିତ ଏହି ଘଟଣାରେ ମୁଖ୍ୟ ମାଷ୍ଟର ମାଇଣ୍ଡ ଅରିନ୍ଦମ ସରଖେଲ ଓରଫ୍ ବାପି ସରଖେଲ ବୋଲି କୁହାଯାଉଛି । ଯଥାଶୀଘ୍ର ପୋଲିସ ବାପୁ ପରିଡା ଓ ଅରିନ୍ଦମ ସରଖେଲଙ୍କୁ ଗିରଫ କରିବାକୁ ଏକାଧିକ ସଂଗଠନ ଓ ରାଜନୈତିକ ଦଳ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଅତିରିକ୍ତ ଏସପି ଆଜିଙ୍କ୍ୟ ବାବୁରାଓ କହିଛନ୍ତି ଯେ ସେ ବୋମାମାଡ଼ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାର ଫେରାର ମାଷ୍ଟର ମାଇଣ୍ଡକୁ ଅତିଶୀଘ୍ର ଗିରଫ କରାଯିବ । ଦାବିପତ୍ରକୁ ଦେଖିବା ପରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରାଯିବ ।