ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭାରତୀୟ ଜନତା ପାର୍ଟି ପାଞ୍ଚଟି ରାଜ୍ୟ ପାଇଁ ୧୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି । ଖାସ୍ କଥା ସମ୍ବିଧାନ ସଂଶୋଧନ ବିଧେୟକ ମାମଲାରେ ଝଟକା ଖାଇଥିବା ଏନଡିଏ ପାଇଁ ଆଗାମୀ ନିର୍ବାଚନ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତର ୧୦ଟି ରାଜ୍ୟର ୨୪ ସିଟରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଜୁନ ୧୮ରେ ମତଦାନ ହେବ ଏବଂ ସେହି ଦିନ ଫଳାଫଳ ଘୋଷିତ ହେବାର ସମ୍ଭାବନା ରହିଛି ।
ବୁଝନ୍ତୁ ରାଜ୍ୟସଭାର ଗଣିତ
୨୪୫ ସଦସ୍ୟ ବିଶିଷ୍ଟ ସଂସଦର ଉଚ୍ଚସଦନରେ ଏନଡିଏ ପାଖରେ ରହିଛି ୧୪୮ ସାଂସଦ । ଏଥିରୁ ସବୁଠୁ ବଡ ପାର୍ଟି ବିଜେପି ପାଖରେ ୧୧୩ ସାଂସଦଙ୍କ ସମର୍ଥନ ରହିଛି । ଏବେ ଏନଡିଏ ମଣ୍ଟକୁ ଦୁଇ ତୃତୀୟାଂଶ ମ୍ୟାଜିକ ନମ୍ବର ଛୁଇଁବା ପାଇଁ ଆଉ ୧୫ ସାଂସଦଙ୍କ ଆବଶ୍ୟକତା ରହିଛି । କାରଣ କୌଣସି ବି ସାମ୍ବିଧାନିକ ବିଲ୍ ପାରିତ କରିବା ପାଇଁ ସରକାରଙ୍କୁ ଦୁଇ ତୃତୀୟାଂଶ ବହୁମତ ଆବଶ୍ୟକତା ରହିଥାଏ । କୁହାଯାଉଛି ଏହି ନିର୍ବାଚନରେ ଏନଡିଏ ମ୍ୟାଜିକ ନମ୍ବର ଛୁଇଁବା ମୁସ୍କିଲ, ମାତ୍ର ବିଜେପିର ସଂଖ୍ୟା ବଢିବାର ସମ୍ଭାବନା ରହିଛି ।
କେଉଁ ରାଜ୍ୟରେ କେତେ ସିଟ୍ ହେଉଛି ଖାଲି
ଆନ୍ଧ୍ର ପ୍ରଦେଶ ଓ ଗୁଜରାଟରେ ୪-୪ ସିଟ୍ ଉପରେ ନିର୍ବାଚନ ହେଉଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୩ଟି ଲେଖାଏଁ, ମଣିପୁର, ମେଘାଳୟରେ ୧-୧, ଝାଡଖଣ୍ଡରେ ୨, ଅରୁଣାଚଳ ପ୍ରଦେଶରେ ୧, କର୍ଣ୍ଣାଟକରେ ୪ ଓ ମିଜୋରାମର ୧ ସିଟ୍ ଉପରେ ନିର୍ବାଚନ ହେବ । ଏହା ସହିତ ଓଡିଶା ସମେତ ଦୁଇଟି ରାଜ୍ୟରେ ଉପନିର୍ବାଚନ ହେବାକୁ ଯାଉଛି ।
ରାଜ୍ୟୱାରୀ ସମୀକରଣ
୧. ଆନ୍ଧ୍ରପ୍ରଦେଶରେ NDA କ୍ଲିନ୍ ସୁଇପ୍ ସମ୍ଭାବନା
୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଟିଡିପି (TDP) ପାଖରେ ୧୩୫ ଏବଂ ଜନସେନା ପାର୍ଟି ପାଖରେ ୨୧ଟି ଆସନ ରହିଛି। ବିଜେପିର ୮ ଜଣ ବିଧାୟକଙ୍କୁ ମିଶାଇ ଏଠାରେ NDAର ମୋଟ ଶକ୍ତି ୧୬୪ ଥିବାବେଳେ ବିରୋଧୀ YSRCP ପାଖରେ ମାତ୍ର ୧୧ ଜଣ ବିଧାୟକ ଅଛନ୍ତି। ତେଣୁ ଏଠାରେ ସମସ୍ତ ୪ଟି ଆସନ ଏନଡିଏ ଖାତାକୁ ଯିବା ସୁନିଶ୍ଚିତ।
୨. ଗୁଜରାଟରେ ବିଜେପିର ଦବଦବା
ଗୁଜରାଟର ୧୮୨ ଆସନରୁ ବିଜେପି ପାଖରେ ସଂଖ୍ୟାଗରିଷ୍ଠତା (୧୬୧ ବିଧାୟକ) ରହିଛି। ଫଳରେ ଏଠାରେ ମଧ୍ୟ ବିରୋଧୀଙ୍କ ପାଇଁ କୌଣସି ସୁଯୋଗ ନାହିଁ ଏବଂ ବିଜେପି ସହଜରେ ସମସ୍ତ ୪ଟି ଆସନ ଜିତିବାକୁ ଯାଉଛି।
୩. ମଧ୍ୟପ୍ରଦେଶରେ ଚମକିବ କି କଂଗ୍ରେସ ?
ମଧ୍ୟପ୍ରଦେଶରେ ସମୀକରଣ ଟିକେ ଭିନ୍ନ ହୋଇପାରେ। ୧୬୩ ବିଧାୟକ ଥିବା ବିଜେପି ଏଠାରେ ୨ଟି ଆସନ ନିଜ ନାମରେ କରିପାରେ, ଏବଂ ବାକି ଗୋଟିଏ ଆସନ ବିରୋଧୀ କଂଗ୍ରେସ ଖାତାକୁ ଯିବାର ସମ୍ଭାବନା ଅଛି।
୪. କର୍ଣ୍ଣାଟକରେ କଡ଼ା ଟକ୍କର
କର୍ଣ୍ଣାଟକରେ ୪ଟି ଆସନରୁ ଏନଡିଏ ଖାତାକୁ ଗୋଟିଏ ସିଟ୍ ଯିବା ସ୍ପଷ୍ଟ ହୋଇଥିବାବେଳେ କ୍ଷମତାସୀନ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇପାରେ। ତେବେ ଚତୁର୍ଥ ଆସନ ପାଇଁ କଡ଼ା ମୁକାବିଲା ହେବ ଏବଂ ଏହା ବିଧାୟକମାନଙ୍କ କ୍ରସ୍-ଭୋଟିଂ ଉପରେ ନିର୍ଭର କରିବ।