କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳରେ ଅନ୍ତଃକନ୍ଦଳ ଧିରେ ଧିରେ ବଢ଼ିବାରେ ଲାଗିଛି । ବିଦ୍ରୋହୀ ଟିଏମସି ନେତାମାନେ ମମତାଙ୍କ ବିରୁଦ୍ଧରେ ଖୋଲାଖୋଲି ସ୍ୱର ଉତ୍ତୋଳନ କରୁଛନ୍ତି । ଟିଏମସି ୮୦ରୁ ୫୯ ଜଣ ବିଦ୍ରୋହୀ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିଧାୟକ ଦଳ ନେତା କରିବାକୁ ସମର୍ଥନ ଜଣାଇଛନ୍ତି ।
ଋତୁବ୍ରତ ବାନାର୍ଜୀଙ୍କୁ ଟିଏମସିରୁ ବହିଷ୍କୃତ କରାଯାଇଛି । କିନ୍ତୁ ବିଦ୍ରୋହୀ ନେତାମାନେ ତାଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି । ପ୍ରାୟ ୨୦ ଜଣ ବିଧାୟକ ବିଧାନସଭାରେ ପହଁଚିଛନ୍ତି । ବିଧାନସଭା ଅଧ୍ୟକ୍ଷ ରଥୀନ୍ଦ୍ର ବୋସ ସମସ୍ତ ବିଧାୟକଙ୍କ ସହିତ ଆଲୋଚନା କରିବେ ।
ମୁସ୍ତଫିଜୁର ରହମାନଙ୍କ ସୂଚନା ଅନୁସାରେ ୫୯ ଜଣ ବିଧାୟକ ପ୍ରସ୍ତାବରେ ହସ୍ତାକ୍ଷର କରିଛନ୍ତି । କେହି ମମତାଙ୍କ ବିରୋଧରେ ନୁହଁନ୍ତି । କିନ୍ତୁ ଜଣେ ବରିଷ୍ଠ ନେତାଙ୍କୁ ବିରୋଧୀ ଦଳ ନେତା କରିବାକୁ ସମସ୍ତେ ଚାହୁଁଛନ୍ତି । ଗତକାଲି ଋତୁବ୍ରତ ବାନାର୍ଜୀ ଏବଂ ସନ୍ଦୀପନ ସାହା ରୁଦ୍ଧଦ୍ୱାର ବୈଠକ କରିଥିଲେ । ଯେଉଁଥିରେ ତାଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ସାମିଲ ହୋଇଥିଲେ ।