ବେଙ୍ଗାଲୁରୁ: କର୍ଣ୍ଣାଟକରେ ନୂଆ ସରକାର ଗଠନ ହେବା ମାତ୍ରେ ହିଁ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମନ୍ତ୍ରିମଣ୍ଡଳ ଗଠନ ଓ ବିଭାଗ ବଣ୍ଟନକୁ ନେଇ ଶାସକ ଦଳ ଭିତରେ ଅସନ୍ତୋଷର ନିଆଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶପଥ ଗ୍ରହଣର ମାତ୍ର ଦୁଇ ଦିନ ଭିତରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ନିଜର ଅସନ୍ତୋଷ ପ୍ରକାଶ କରିବା ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ବରିଷ୍ଠ ନେତା ରାମଲିଙ୍ଗା ରେଡ୍ଡୀଙ୍କ ପରେ ଏବେ ଆଉ ଜଣେ ପ୍ରଭାବଶାଳୀ ନେତା କେ.ଏଚ୍. ମୁନିୟାପ୍ପା ମଧ୍ୟ ନିଜ ବିଭାଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ବିଭାଗ ବଦଳାଇବାକୁ ଜିଦ୍ରେ ଅଡ଼ିଲେ ମୁନିୟାପ୍ପା
ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀ ଭାବେ ଶପଥ ନେଇଥିବା କେ.ଏଚ୍. ମୁନିୟାପ୍ପା ନିଜ ବିଭାଗରେ ପରିବର୍ତ୍ତନ ଚାହୁଁଛନ୍ତି। ଏ ସମ୍ପର୍କରେ ସେ ହାଇକମାଣ୍ଡଙ୍କ ଦ୍ୱାରସ୍ଥ ହୋଇଥିବା ସ୍ପଷ୍ଟ କରିଛନ୍ତି। ମୁନିୟାପ୍ପାଙ୍କ କହିବା ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ହିଁ ସେ ନିଜର ଦାବି ଦଳୀୟ ନେତୃତ୍ୱ ଆଗରେ ରଖିସାରିଛନ୍ତି। ନିଜର ବରିଷ୍ଠତା ଏବଂ ଅଭିଜ୍ଞତା ଆଧାରରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ଉଚିତ୍ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ରାହୁଲ-ସୋନିଆଙ୍କ ସହ ହେବ ଆଲୋଚନା
ମୁନିୟାପ୍ପା କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ବହୁ ଶୀଘ୍ର ଦଳର ଶୀର୍ଷ ନେତୃତ୍ୱ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରି ଆଲୋଚନା କରିବେ। ପ୍ରୋଟୋକଲ୍ ଏବଂ ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାକୁ ସମ୍ମାନ ଜଣାଇ ବିଭାଗ ବଣ୍ଟନ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।
କେଉଁ ବିଭାଗ ଉପରେ ରହିଛି ନଜର?
ମୁନିୟାପ୍ପାଙ୍କ କହିବା କଥା ହେଲା, ସେ ବିଗତ ପ୍ରାୟ ତିନି ବର୍ଷ ହେବ ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗର ଦାୟିତ୍ୱ ତୁଲାଉଛନ୍ତି, ତେଣୁ ଏବେ ସେ ପରିବର୍ତ୍ତନ ଚାହୁଁଛନ୍ତି। ଯଦି ତାଙ୍କୁ ଜଳସେଚନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳେ, ତେବେ ସେ ଜନସାଧାରଣଙ୍କ ସେବା ଆହୁରି ଉତ୍ତମ ଭାବେ କରିପାରିବେ। ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,ବିଭାଗ ବଣ୍ଟନକୁ ନେଇ ବରିଷ୍ଠ ନେତା ରାମଲିଙ୍ଗା ରେଡ୍ଡୀଙ୍କ ଯେଉଁ ଅସନ୍ତୋଷ ରହିଛି, ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ। ସେ ମୋର ଅତି ପ୍ରିୟ ବନ୍ଧୁ ଏବଂ ଜଣେ ସମ୍ମାନୀୟ ସହଯୋଗୀ।