କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାଚ୍ୟୁତ ହେବା ପରେ ମମତା ବାନାର୍ଜୀଙ୍କ ମୁସ୍କିଲ କମ ହେବାର ନାଁ ନେଉନି । ୫୮ ବିଧାୟକଙ୍କ ବିଦ୍ରୋହ ଦେଖିବା ପରେ ଏବେ ତୃଣମୂଳ କଂଗ୍ରେସର ଅସ୍ଥିତ୍ୱ ଉପରେ ବିପଦ ଦେଖା ଦେଇଛି । ଦିଲ୍ଲୀରେ ଟିଏମସିର ସଂସଦୀୟ ଦଳରେ ବଡ ବିଭାଜନର ପ୍ରସ୍ତୁତି ହୋଇ ସାରିଛି । ଖବର ଏହା ଯେ, ଯେବେ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ପହଞ୍ଚିବେ, ସେହି ସମୟରେ ପାର୍ଟିର ଅତି କମରେ ୨୨ ସାଂସଦ ବିଦ୍ରୋହୀ ନିଜକୁ ପ୍ରକୃତ ଟିଏମସି ବୋଲି ଘୋଷଣା କରି ପାରନ୍ତି । ଆଉ ଏହାର ନେତୃତ୍ୱ ନେଇ ପାରନ୍ତି ବାରାସାତ ଲୋକସଭା ସାଂସଦ କାକୋଲି ଘୋଷ । ଏଥିରେ ଲୋକସଭା ଏବଂ ରାଜ୍ୟସଭାର ସାଂସଦ ସାମିଲ୍ ।
ଏହି ରାଜନୈତିକ ତୁମ୍ବିତୋଫାନ ମଧ୍ୟରେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସଂପ୍ରତି ଦିଲ୍ଲୀରେ ଡେରା ପକାଇଛନ୍ତି । ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ରାଜ୍ୟସଭା ସାଂସଦ ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ହଁ ଟିଏମସିରୁ ଫୋନ କଲ୍ ଆସୁଛି । ଟିଏମସିର ସାଂସଦଙ୍କ ସହ ଆମର ଲଗାତାର ଯୋଗାଯୋଗ ଜାରି ରହିଛି । ଟିଏମସି ଏବେ ଅତୀତ ହୋଇ ସାରିଛି । ନିକଟ ଭବିଷ୍ୟତରେ ଏହା ଇତିହାସର ଏକ ଛୋଟ ଅଧ୍ୟାୟରେ ସୀମିତ ହୋଇ ରହିଯିବ ।
ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଲକେଟ ଚାଟାର୍ଜୀ ଏହା ଉପରେ ସ୍ମିତହାସ୍ୟ ଦେଇ କହିଛନ୍ତି, ମେ ୪ରେ ନିର୍ବାଚନୀ ଫଳାଫଳ ପରେ ଅନେକ ସାଂସଦ ଆମ ସହ ଲଗାତାର ଯୋଗାଯୋଗରେ ଅଛନ୍ତି । ଟେକ୍ସ ମେସେଜ, ହ୍ୱାଟ୍ସଆପ, ଫୋନ କଲ୍ସ.,, ସବୁ ଆମ ପାଖକୁ ଆସୁଛି । ସେମାନେ କେବଳ ଦଳ ବଦଳାଇବାକୁ ଚାହୁଁଛନ୍ତି ।
ଗୋଟିଏ ମାସରେ ସ୍ଥିତି ଏମିତି ହେବ ବୋଲି ମମତା ବାନାର୍ଜୀ ମଧ୍ୟ ସ୍ୱପ୍ନରେ କେବେ ଭାବି ପାରି ନ ଥିବେ । ଗୋଟିଏ ମାସ ପୂର୍ବେ ଯେଉଁଠି ତାଙ୍କ ଆଗ ପଛରେ ମାଳ ମାଳ ବିଧାୟକ ଏବଂ ସାଂସଦ ରହୁଥିଲେ, ଆଜି ସମସ୍ତେ କ୍ଷମତା ଚାଲିଯିବା ପରେ ତିନି ଥରର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତିଳେ ହେଲେ ଭ୍ରୁକ୍ଷେପ କରୁ ନାହାନ୍ତି । ଏଥିରେ ନେତାଙ୍କ ରାଜନୈତିକ ଏବଂ ନୈତିକ ସ୍ଖଳନ ଘଟୁଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି ।