ପୁରୀ : ଶୁକ୍ରବାର ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ଦର୍ଶନ ବେଳେ ଚାଙ୍ଗଡ଼ା ଘର ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେଇଥିଲେ। ଏହା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି।ସକାଳୁ ମହାପ୍ରଭୁଙ୍କର ଅବକାଶ ନିତି ସମ୍ପର୍ଣ୍ଣ ହେବା ପରେ ଗୋପାଳବଲ୍ଲଭ ପୂର୍ବରୁ ଶ୍ରୀବିଗ୍ରହମାନଙ୍କର ବଡମହାସ୍ନାନ ହୋଇଛି।
ବିଧି ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପରିସର ବା ଭିତରକାଠ ନିକଟରେ ବାନ୍ତି କିମ୍ବା ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ତେବେ ଆଜି ମହାପ୍ରଭୁ ଦୁଇଥର ସ୍ନାନ କରିଛନ୍ତି। ପ୍ରଥମେ ଅବକାଶ ନିତିରେ ମହାପ୍ରଭୁ ସ୍ନାନ କରିଥିଲେ ଏବେ ମହାସ୍ନାନ ଯୋଗୁଁ ଆଉଥରେ ସ୍ନାନ କରିଛନ୍ତି। ମହାସ୍ନାନ ପରେ ପୁନର୍ବାର ଅନ୍ଯାନ୍ଯ ନିତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ତେବେ ମହାସ୍ନାନ ଯୋଗୁଁ ପ୍ରାୟ ଦୁଇଘଣ୍ଟା ଦର୍ଶନ ବନ୍ଦ ରହିଥିବାରୁ ଧାଡ଼ିରେ ଭକ୍ତଙ୍କ ଗହଳି ରହିଛି।