ଭୁବନେଶ୍ୱର: ଯେଉଁ ସୁଭଦ୍ରା ଆବେଦନକାରୀଙ୍କର ଏନପିସିଆଇରେ ତ୍ରୁଟି ରହିଛି ସେମାନେ ଆଜି ଏବଂ ଆସନ୍ତାକାଲି ବ୍ୟାଙ୍କ ଯାଇ ସମସ୍ୟାର ସମାଧାନ କରନ୍ତୁ । ସୁଭାଦ୍ରା ଆବେଦନକାରୀଙ୍କ ପାଇଁ ବ୍ୟାଙ୍କଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବ୍ୟାଙ୍କରୁ କଲ୍ କିମ୍ବା ମେସେଜ୍ ଆସିଥିଲେ ସେମାନେ ଯାଇଁ ବ୍ୟାଙ୍କରେ ଏନପିସିଆଇକୁ ସକ୍ରିୟ କରିବା ଲାଗି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପର୍ଯ୍ୟନ୍ତ ସୁଭାଦ୍ରାରେ ୧କୋଟି ୭ଲକ୍ଷ ୨୩ହଜାର ୨୯୪ଜଣ ପଞ୍ଜିକରଣ କରିଛନ୍ତି । ସେଥିମଧ୍ୟରୁ ୮୦ଲକ୍ଷ ୨୯ହଜାର ୭୪୧ଜଣଙ୍କୁ ସହାୟତା ଦିଆଯାଇଛି । ପ୍ରକୃତ ହିତାଧିକାରୀଥିବା ୩ ଲକ୍ଷ ୩୧ ହଜାର ୧୮୮ଜଣଙ୍କର ଏନ୍ପିସିଆଇ ଫେଲ୍ ହୋଇଛି । କିନ୍ତୁ ଏ ସମସ୍ତ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ସରକାର ସେମାନଙ୍କୁ ଶେଷ ସୁଯୋଗ ଦେବାକୁ ଚେଷ୍ଟା କରିଛନ୍ତି । ସେଥିପାଇଁ ଏନପିସିଆଇକୁ ଆକ୍ଟିଭ୍ କରିବାକୁ ବ୍ୟାଙ୍କ ଯିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସେହିପରି ଇ-କେୱାଇସି ପାଇଁ ୧ଲକ୍ଷ ୫୫ହଜାର ୧୫୮ଜଣ ଆବେଦନକାରୀଙ୍କର ଫାଇଲ୍ ଏବେବି ପଡ଼ି ରହିଛି । ହିତାଧିକାରୀଙ୍କର ଇ-କେୱାଇସି ହେବା ଦରକାର ଓ ତାହା ଆଧାର ସହ ଲିଙ୍କ ହେବା ମଧ୍ୟ ଜରୁରୀ । ତେଣୁ ବାୟୋମେଟ୍ରିକ ଯାଞ୍ଚ ସହ ଏନ୍ପିସିଆଇ ଫେଲ୍ ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କକୁ ଯିବାକୁ ହେବ । ସେହିପରି ଯୋଜନାରୁ ୩୧ହଜାର ୬୯୨ ଅପ୍ଟଆଉଟ୍ ହୋଇଯାଇଥିଲେ, ତହିଁରୁ ୧୭ହଜାର ୪୪୮ଜଣ ଅପ୍ଟଇନ୍ ହୋଇଥିବା ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।
ଆଜି ଏବଂ ଆସନ୍ତାକାଲି ବ୍ୟାଙ୍କର କର୍ମଚାରୀମାନେ ସୁଭଦ୍ରା ପାଇଁ ଯାଇଥିବା ମହିଳାମାନଙ୍କର କାମକୁ ଗୁରୁତ୍ଵ ଦେବେ । ଯେଉଁମାନଙ୍କୁ ବ୍ୟାଙ୍କ ସମସ୍ୟା ପାଇଁ କଲ୍ ଆସିଛି ସେମାନେ କେବଳ ଯାଆନ୍ତୁ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି ଏନ୍ପିସିଆଇ ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ ।