ଭଦ୍ରକ: ନିଜ ରକ୍ତ ପୁଅ ବାପା ମାଙ୍କ ରକ୍ତରେ ଖେଳିଛି ଖେଳ । ବୃଦ୍ଧ ବାପା ମାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ସଇତାନ ପୁଅ । ଏଭଳି ଏକ ଜଘନ୍ୟ ଅପରାଧ ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଖେରଙ୍ଗ ଗ୍ରାମ ପଞ୍ଚାୟତ ତଳବନ୍ଧ ଗ୍ରାମରେ । ଉଭୟ ଗୁରୁତର ବାପା ମଧୁସୂଦନ ନାୟକ ଓ ତାଙ୍କ ପତ୍ନୀ ମାଧୁରୀ ନାୟକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ତଳବନ୍ଧ ଗ୍ରାମର ମଧୁସୂଦନ ନାୟକ ଓ ମାଧୁରୀଙ୍କ ପୁଅ ମନୋଜଙ୍କ ମଧ୍ୟର କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହା ପରେ ମନୋଜ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ବୃଦ୍ଧ ବାପା ମାଆଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଖେରଙ୍ଗ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଡାକ୍ତରଖାନା ନେଇଥିଲେ। ଉଭୟଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଥିବାବେଳେ ଉଭୟ ପୁଅ ଏବଂ ବୋହୂ ଗାଁରୁ ଫେରାର ହୋଇଯାଇଛନ୍ତି ।