ସୋର: ରାଜ୍ୟରେ କାରାଗାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଗୋଟିଏ ପରେ ଗୋଟିଏ ଜେଲରୁ ଫେରାର ହୋଇଯାଉଛନ୍ତି କଏଦୀ । ଚୌଦ୍ୱାର ପରେ ବାଲେଶ୍ୱର ଜିଲ୍ଲା ସୋର ଉପ କାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛି । କଏଦୀ ଜଣକ ହେଲା ଝାଡ଼ଖଣ୍ଡ ବୋକାରୋର ଗଣେଶ ରାଏଙ୍କ ପୁଅ ଦୀପକ କୁମାର ରାଏ ।
ଦୀପକ ଗତ ୧୮ ତାରିଖରୁ ମାର୍କୋଣାରୁ ଗିରଫ ହୋଇ ସୋର ଉପ କାରାଗାରରେ ବନ୍ଦୀ ଥିଲା । ଏକ କାର ଚୋରି ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିଲା । ଗତକାଲି ସନ୍ଧ୍ୟାରେ ପାଚେରୀ ଡେଇଁ ଜେଲରୁ ଚମ୍ପଟ ମାରିଛି । ଗତକାଲି ସନ୍ଧ୍ୟା ୫ଟାରେ ଜେଲ୍ରେ ଖାଇବାକୁ ଦିଆଯାଇଥିଲା। ପରେ କଏଦୀ ଗଣନା ଚାଲିଥିବାବେଳେ ଦୀପକ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା । ଅଣ୍ଟାରେ କମ୍ବଳ ବାନ୍ଧି ଫେରାର ହେବାରେ ସଫଳ ହୋଇଛି ।
ସେପଟେ କଟକ ଜିଲ୍ଲୀ ଭଦ୍ରେଶ୍ୱର ଥାନାରୁ ପୋଲିସ ହେପାଜତରୁ ଜଣେ ଅଭିଯୁକ୍ତ ଚମ୍ପଟ୍ ମାରିଛି । ଗତକାଲି ସନ୍ଧ୍ୟାରେ ବାଲେଶ୍ୱର ସୋର ଥାନା ଅଞ୍ଚଳର ଏକ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ନାବାଳିକାର ପରିବାର ଲୋକେ ପୋଲିସର ସହଯୋଗରେ ଭଦ୍ରେଶ୍ୱର ଥାନା ଅଞ୍ଚଳରୁ କାବୁ କରିଥିଲେ । ଏହା ପରେ ଉକ୍ତ ଅଭିଯୁକ୍ତକୁ ଭଦ୍ରେଶ୍ୱର ଥାନା ହେପାଜତରେ ରହିଥିଲେ । ଆଜି ସୋର ପୋଲିସ ତାକୁ ନିଜ ହେପାଜତକୁ ନେବାର ଥିଲା । ମାତ୍ର ଏହା ପୂର୍ବରୁ ଅଭିଯୁକ୍ତ ଜଣକ ଥାନାରୁ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବାକୁ ଖୋଳତାଡ଼ ଚାଲିଥିବା ସାଲେପୁର ଏସଡିପି କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୨, ଦଶହରା ରାତିରେ କଟକ ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ହୋଇଯାଇଥିଲେ । ବିହାରର ଦୁଇ କଏଦୀ ମଧୁକାନ୍ତ ଓ ରାଜା ସାହାଣୀ ଏବେବି ଫେରାର ଅଛନ୍ତି । ମଧୁକାନ୍ତ ଓ ରାଜା ସାହାଣୀ ବହୁ ଚର୍ଚ୍ଚିତ ଯାଜପୁର ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଲୁଟ୍ ଏବଂ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ଥିଲେ । ସେମାନଙ୍କୁ ଯାଜପୁର ଜେଲରୁ ଚୌଦ୍ୱାର ଅଣାଯାଇଥିଲା ।